ଭୁବନେଶ୍ୱର: ନିଲମ୍ବିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଆଜି ବିଜୁ ଜନତା ଦଳର ବିଧାୟକ ଦଳ ବାଚସ୍ପତିଙ୍କୁ ଭେଟିଛି । ରାଜ୍ୟସଭାରେ କ୍ରସ୍ ଭୋଟିଂ ପରେ ଦଳରୁ ନିଲମ୍ବିତ ୮ ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ବିଜେଡ଼ି ଦଳ ବାଚସ୍ପତିଙ୍କୁ ଭେଟି ସୁପାରିଶ କରିଛି ।
ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଅରୁଣ ସାହୁ, ବଦ୍ରି ନାରାୟଣ ପାତ୍ର ଓ ପ୍ରସନ୍ନ ଆଚାର୍ୟ୍ୟଙ୍କ ଠାରୁ ଆରମ୍ଭ କରି ଗଣେଶ୍ୱର ବେହେରା ପର୍ୟ୍ୟନ୍ତ ପ୍ରଥମେ ଶଙ୍ଖ ଭବନରେ ଏକ ବୈଠକ କରିଥିଲେ । ପରେ ସମସ୍ତେ ବିଧାନସଭା ଯାଇ ବାଚସ୍ପତିଙ୍କୁ ଭେଟିଛନ୍ତି । ସମସ୍ତ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଦାବି କରିଛନ୍ତି । ବିଧାୟକ ଚକ୍ରମଣି କହଁର, ନବକିଶୋର ମଲ୍ଲିକ, ସୌଭିକ ବିଶ୍ୱାଳ, ସୁଭାଷିନୀ ଜେନା, ରମାକାନ୍ତ ଭୋଇ, ଦେବୀରଞ୍ଜନ ତ୍ରିପାଠୀ, ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କ ନାମ ଏଥିରେ ସାମିଲ ରହିଛି । ଏ ସମସ୍ତ ବିଧାୟକ ସ୍ୱେଚ୍ଛାକୃତ ଭାବେ ଦଳରେ ନ ଥିବା ଘୋଷଣା କରିସାରିଛନ୍ତି । ତେଣୁ ଭାରତୀୟ ସମ୍ବିଧାନର ଧାରା ୧୯୧, ଅନୁଚ୍ଛେଦ ୧୦ ଅନୁଯାୟୀ ସେମାନଙ୍କ ସଭ୍ୟପଦ ରଦ୍ଦ ହୋଇପାରିବ । ଯେଉଁମାନେ ଦଳ ଏବଂ ନେତୃତ୍ୱ ବିରୁଦ୍ଧରେ ଯାଇ ଅବମାନନା କରିଛନ୍ତି ସେମାନଙ୍କ ସଭ୍ୟପଦ ରଦ୍ଦ ପାଇଁ କୌଣସି ଅସୁବିଧା ନାହିଁ ବୋଲି ବିଧାୟକ ଅରୁଣ ସାହୁ କହିଛନ୍ତି ।
ବିଜେଡ଼ିର ଏଭଳି ପଦକ୍ଷେପକୁ ନାପସନ୍ଦ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଯେ ଜଣେ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରିବା ପରେ ପୁଣି ହ୍ୱିପ୍ ଜାରି କରିବାର କିଛି ଅର୍ଥ ନାହିଁ । ନିଲମ୍ବିତ ବିଧାୟକଙ୍କ ଉପରେ ହ୍ୱିପ୍ ନିୟମ ଲାଗୁ ହେବ ନାହିଁ । ସେମାନେ ନିୟମ କଣ ଜାଣୁ ନାହାଁନି, ପାଖକୁ ଆସିଲେ ହ୍ୱିପ୍ ନିୟମ ବିଷୟରେ ବୁଝାଇ ଦେବୁ ବୋଲି କହିଛନ୍ତି ଶ୍ରୀଯୁକ୍ତ ପୂଜାରୀ ।
ଉଲ୍ଲେଖ ଯୋଗ୍ୟ, ଗତ ମାର୍ଚ୍ଚ ୧୬ରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେଡ଼ିର ୬ ଜଣ ସଦସ୍ୟ ଓ ୨ ଜଣ ନିଲମ୍ବିତ ବିଧାୟକ କ୍ରସ୍ ଭୋଟିଂ କରିଥିଲେ । ବିଜେଡ଼ି-କଂଗ୍ରେସର ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କୁ ଭୋଟ୍ ଦେବା ବଦଳରେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ । ଯାହା ପରେ ଦଳ ୬ ଜଣ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରିଥିଲା ।