ଲିଗ୍ କ୍ରିକେଟରେ ବିସ୍ଫୋରକ ବ୍ୟାଟରଙ୍କ ସହ ମିଷ୍ଟ୍ରି ସ୍ପିନରଙ୍କର ମଧ୍ୟ ଅଧିକ ଚାହିଦା ରହିଥାଏ । ଏକାଧିକ ପ୍ରକାର ବଲ ପକାଇବା ଫଳରେ ବ୍ୟାଟ୍ସମ୍ୟାନମାନଙ୍କୁ ଅସୁବିଧାରେ ପକାଇଥାନ୍ତି ମିଷ୍ଟ୍ରି ସ୍ପିନରମାନେ । ସେମାନଙ୍କ ବଲ ବୁଝିବା ପରେ ସେମାନଙ୍କୁ ଖେଳିବା ସହଜ ହୋଇଥାଏ । ମୁଜିବୁର ରେହମାନ, ରଶିଦ ଖାନ ଓ ବରୁଣ ଚକ୍ରବର୍ତ୍ତୀଙ୍କ ଭଳି ମିଷ୍ଟ୍ରି ବୋଲର ନିଜ କ୍ୟାରିଅର ଆରମ୍ଭରୁ ଯେଉଁଭଳି ପ୍ରଦର୍ଶନ କରୁଥିଲେ ବର୍ତ୍ତମାନ ସେଭଳି ପ୍ରଦର୍ଶନ କରିପାରୁନାହାନ୍ତି । ସେମାନଙ୍କ ମିଷ୍ଟ୍ରି ପଢିବାରେ ସଫଳ ହେଉଛନ୍ତି ଅନେକ ବ୍ୟାଟ୍ସମ୍ୟାନ, କିନ୍ତୁ ଏବେ ମଧ୍ୟ ପ୍ରଭାବଶାଳୀ ସୁନୀଲ ନାରିନ ।
ସୁନୀଲ ନାରିନ ଦୀର୍ଘ ୧୫ ବର୍ଷ ଧରି କ୍ରିକେଟ ଖେଳୁଛନ୍ତି । ବର୍ତ୍ତମାନ ସୁଦ୍ଧା ୫୯୦ ଟି-୨୦ କ୍ରିକେଟ ଖେଳିଥିଲେ ମଧ୍ୟ ତାଙ୍କ ବଲ ପଢିବା ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟକର ବିଷୟ । ନିଜ ସ୍ପିନ ବୋଲିଂ ବଳରେ ସେ ଆଇପିଏଲରେ କୋଲକାତା ନାଇଟ ରାଇଡ଼ର୍ସକୁ ଅନେକ ମ୍ୟାଚ ଜିତାଇଛନ୍ତି। ରବିବାର ରାତିରେ ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ସୁପର ଓଭରରେ ବୋଲିଂ କରିଥିଲେ ନାରିନ ଓ ମାତ୍ର ୧ ରନ ଦେଇ ଦୁଇଟି ୱିକେଟ୍ ନେଇଥିଲେ । ଏହା ସହ ନିଜ କ୍ୟାରିୟରର ୫୯୦ ଟି ଟି-୨୦ ମ୍ୟାଚରେ ୬୨୦ ଟି ୱିକେଟ୍ ହାସଲ କରିଛନ୍ତି ନାରିନ । ଦୀର୍ଘ ବର୍ଷ ଧରି କ୍ରିକେଟ ଖେଳୁଥିଲେ ମଧ୍ୟ ଟି-୨୦ କ୍ରିକେଟରେ ତାଙ୍କର ଇକୋନୋମି ୬.୧୭ ରହିଛି । ଆବଶ୍ୟକ ପଡିଲେ ନୂଆ ବଲରେ ମଧ୍ୟ ଭଲ ବୋଲିଂ କରନ୍ତି ସୁନୀଲ । ଏହା ସହ ତାଙ୍କୁ ଆଇପିଏଲ ଇତିହାସରେ ୨୦୦ ୱିକେଟ୍ ହାସଲ କରିବା ପାଇଁ ମାତ୍ର ଗୋଟିଏ ୱିକେଟ୍ ର ଆବଶ୍ୟକତା ଅଛି ।
ବ୍ୟାଟ୍ସମ୍ୟାନ ସୁନୀଲ ନାରିନ
କେବଳ ମିଷ୍ଟ୍ରି ବୋଲିଂ ନୁହେଁ ସୁନୀଲ ନାରିନ ବ୍ୟାଟିଂ ମଧ୍ୟ କରିପାରନ୍ତି । ଅନେକ ସମୟରେ ତାଙ୍କ ବିସ୍ଫୋରକ ବ୍ୟାଟିଂ ଦର୍ଶକଙ୍କୁ ପସନ୍ଦ ଆସିଥାଏ । ପାୱାରପ୍ଲେରେ ଦ୍ରୁତ ଗତିରେ ରନ ବନାଇବା ପାଇଁ ଅନେକ ସମୟରେ ଓପନିଂ ବ୍ୟାଟର ଭାବେ ପଡିଆକୁ ଓହ୍ଲାଇଥାନ୍ତି ସୁନୀଲ। ଓପନିଂ ବ୍ୟାଟିଂ କରୁଥିବାବେଳେ ସୁନୀଲ ନାରିନଙ୍କର ଗୋଟିଏ ଆଇପିଏଲ ଶତକ ମଧ୍ୟ ରହିଛି । ୨୦୨୪ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ସେ ୫୬ ବଲରେ ୧୦୯ ରନ ସଂଗ୍ରହ କରିଥିଲେ । ୨୦୨୪ ଆଇପିଏଲରେ କୋଲକାତା ନାଇଟ ରାଇଡ଼ର୍ସ ଚାମ୍ପିଅନ ହୋଇଥିଲା ଓ ଏହାରି ପଛରେ ସୁନୀଲ ନାରିନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ସିଜିନରେ ସେ ଗୋଟିଏ ଶତକ ଓ ୩ ଟି ଅର୍ଦ୍ଧଶତକ ବଳରେ ୪୮୮ ରନ ସଂଗ୍ରହ କରିଥିଲେ ।