ଚଳିତ ସିଜିନରେ ରାଜସ୍ଥାନର ଅଧିନାୟକ ରିୟାନ ପରାଗଙ୍କ ପ୍ରଦର୍ଶନକୁ ନେଇ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଲାଣି । ଲଗାତାର ଗୋଟେ ପରେ ଗୋଟେ ଫ୍ଲପ ଇନିଂସ ପରେ କ୍ରିକେଟ ବିଶେଷଜ୍ଞଙ୍କ ସହ ରାଜସ୍ଥାନ ଫ୍ୟାନ୍ସ ମଧ୍ୟ ପ୍ରଶ୍ନ ଉଠାଇଲେଣି । ଚଳିତ ସିଜିନରେ ୮ ଟି ମ୍ୟାଚରେ ମାତ୍ର ୮୮ ରନ ସଂଗ୍ରହ କରିଛନ୍ତି ରିୟାନ । ତେଣୁ ଲଗାତାର ଖରାପ ପ୍ରଦର୍ଶନ ସତ୍ୱେ ରିୟାନଙ୍କ ସ୍ଥାନରେ ଅନ୍ୟ କୌଣସି ଖେଳାଳିଙ୍କୁ ଅଧିନାୟକ କରିବାକୁ ନେଇ ଚର୍ଚ୍ଚା ଦେଖିବାକୁ ମିଳିଛି ।
ରାଜସ୍ଥାନ ରୟାଲ୍ସର ଯୁବ ଓପନର ୟଶସ୍ଵୀ ଜେସୱାଲ ଓ ବୈଭବ ସୂର୍ଯ୍ୟବଂଶୀ ଚଳିତ ସିଜିନରେ ଭଲ ଫର୍ମରେ ଅଛନ୍ତି । ପ୍ରତି ଇନିଂସରେ ଭଲ ଆରମ୍ଭ କାରଣରୁ ରାଜସ୍ଥାନ ୮ ଟି ମ୍ୟାଚରୁ ୫ ଟି ମ୍ୟାଚରେ ବିଜୟ ହାସଲ କରିଛି । ୟଶସ୍ଵୀ ଓ ବୈଭବଙ୍କ ଭଲ ଆରମ୍ଭ ଦେଉଥିବାରୁ ମିଡିଲ ଅର୍ଡର ଉପରେ ବେଶୀ ଚାପ ପଡ଼ିନାହିଁ । ଯେଉଁ ମ୍ୟାଚରେ ଏହି ଦୁଇ ଓପନର ଜଲଦି ନିଜ ୱିକେଟ୍ ହରାଇଛନ୍ତି ସେହି ମ୍ୟାଚରେ ବଡ ସ୍କୋର କରିବା ରାଜସ୍ଥାନ ପାଇଁ କଷ୍ଟକର ହୋଇଛି ।
ରାଜସ୍ଥାନର ପୂର୍ବ କ୍ୟାପଟେନ ସଂଜୁ ସାମସନ ଚେନ୍ନାଇ ଯିବା ପରେ ରାଜସ୍ଥାନ ରିୟାନ ପରାଗଙ୍କୁ ଅଧିନାୟକ ରୂପେ ଚୟନ କରିଥିଲା। ଏହା ପରେ ରାଜସ୍ଥାନ ବିସ୍ଫୋରକ ବ୍ୟାଟିଂ ବଳରେ ମ୍ୟାଚ ଜିତୁଥିଲେ ମଧ୍ୟ ରାଜସ୍ଥାନର ଅଧିନାୟକଙ୍କ ବ୍ୟାଟ ଚୁପ ରହିଛି । ଚେନ୍ନାଇ ବିପକ୍ଷ ମ୍ୟାଚରେ ୧୪*, ଗୁଜୁରାଟ ବିପକ୍ଷ ମ୍ୟାଚରେ ୮, ମୁମ୍ବାଇ ବିପକ୍ଷ ମ୍ୟାଚରେ ୨୦, ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ୩, ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ୪, କୋଲକାତା ବିପକ୍ଷ ମ୍ୟାଚରେ ୧୨, ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ୨୦ ଓ ହାଇଦ୍ରାବାଦ ବିପକ୍ଷ ଦ୍ଵିତୀୟ ମ୍ୟାଚରେ ୭ ରନ ସଂଗ୍ରହ କରିଛନ୍ତି ରାଜସ୍ଥାନର ଅଧିନାୟକ ରିୟାନ ପରାଗ ।
ଚଳିତ ସିଜିନରେ ୮ ଟି ମ୍ୟାଚରେ ୮୮ ରନ ସଂଗ୍ରହ କରିଛନ୍ତି ରିୟାନ । ଏହି ସିଜିନରେ ତାଙ୍କ ଆଭରେଜ ରହିଛି ୧୨.୫୭ ଓ ଷ୍ଟ୍ରାଇକ୍ ରେଟ୍ ଅଛି ୧୧୨.୮୨ । ସର୍ବାଧିକ ୨୦ ରନର ଇନିଂସ ଥିବାବେଳେ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟରେ ୬ ଟି ଚୌକା ଓ ୫ ଟି ଛକା ମାରିଛନ୍ତି ।