ଦିଲ୍ଲୀ କ୍ୟାପିଟାଲ୍ସର ଦ୍ରୁତ ବୋଲର ଲୁଙ୍ଗି ଇଂଗିଡ଼ିଙ୍କ ଆଘାତ ସମ୍ପର୍କରେ ବଡ ଅପଡେଟ ଆସିଛି । ଶନିବାର ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ଫିଲଡିଂ କରୁଥିବା ସମୟରେ କ୍ୟାଚ ଧରିବାକୁ ଯାଇ ଆହତ ହୋଇଥିଲେ ଲୁଙ୍ଗି । ପଛୁଆ ଦୌଡ଼ି କ୍ୟାଚ ଧରିବାକୁ ଚେଷ୍ଟା କରୁଥିବା ସମୟରେ ସେ ତଳେ ପଡିଯାଇଥିଲେ ଓ ତାଙ୍କ ମୁଣ୍ଡ ତଳେ ବାଜିଥିଲା। ଏହା ପରେ ସେ ପଡିଆରେ ମୁଣ୍ଡକୁ ଧରି ତଳେ ପଡିରହିଥିଲେ ଓ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ପଡିଆରେ ଉପସ୍ଥିତ ଥିବା ଡାକ୍ତରୀ ଦଳ ତାଙ୍କ ଆଘାତ ଦେଖି ତୁରନ୍ତ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ । ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି ଓ ଶନିବାର ରାତିରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମଧ୍ୟ କରାଯାଇଥିଲା।
ଶନିବାର ଦିଲ୍ଲୀ ଓ ପଞ୍ଜାବ ବିପକ୍ଷ ମ୍ୟାଚ ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଉଥିଲା, ଏହି ମ୍ୟାଚରେ ଆହତ ହୋଇଥିଲେ ଲୁଙ୍ଗି ଇଂଗିଡ଼ି । ତାଙ୍କ ମୁଣ୍ଡ ଓ ବେକରେ ଆଘାତ ଲାଗିବା ପରେ ତାଙ୍କୁ ଦିଲ୍ଲୀ କାରୋଲ ବାଗରେ ଥିବା ମ୍ୟାକ୍ସ ସୁପର ସ୍ପେଶାଲିଟି ହସ୍ପିଟାଲକୁ ନିଆଯାଇଥିଲା। କିଛି ସମୟ ହସ୍ପିଟାଲରେ ରହିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ ହୋଟେଲକୁ ଫେରିଯାଇଥିଲେ । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଓ ଦିଲ୍ଲୀ ଦିଲ୍ଲୀ କ୍ୟାପିଟାଲ୍ସର ଡାକ୍ତରୀ ଟିମ ତାଙ୍କ ଯତ୍ନ ନେଉଛନ୍ତି।
ଅନ୍ୟପଟେ ଲୁଙ୍ଗି ଇଂଗିଡ଼ିଙ୍କ ଅନୁପସ୍ଥିତିରେ ଦିଲ୍ଲୀକୁ ପରାଜୟର ସାମ୍ନା କରିବାକୁ ପଡିଛି । କେଏଲ ରାହୁଲଙ୍କ ୧୫୨ ରନର ଇନିଂସ ବଳରେ ଦିଲ୍ଲୀ ୨୬୪ ରନ କରିଥିଲେ ମଧ୍ୟ ପଞ୍ଜାବ ଏହି ଟାର୍ଗେଟକୁ ଚେଜ କରିବାରେ ସଫଳ ହୋଇଛି । ଲୁଙ୍ଗି ଇଂଗିଡ଼ି ମ୍ୟାଚରେ ଉପସ୍ଥିତ ଥିଲେ ବୋଧ ହୁଏ ମ୍ୟାଚର ନିର୍ଣ୍ଣୟ କିଛି ଅଲଗା ହୋଇପାରିଥାନ୍ତା, କିନ୍ତୁ କ୍ୟାଚ ଧରିବାକୁ ଯାଇ ବିଫଳ ହେବା ସହ ଆହତ ହେଇ ମ୍ୟାଚରୁ ବାଦ ପଡିବ ଦିଲ୍ଲୀ ପାଇଁ ବେଶ ମାହାଙ୍ଗା ସାବ୍ୟସ୍ଥ ହୋଇଛି ।