ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ର ବରିଷ୍ଠ ଚୟନ କମିଟି ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ କିଛି ଦିନରେ ଶେଷ ହେବାକୁ ଯାଉଛି । ଅଗରକରଙ୍କ କାର୍ଯ୍ୟକାଳ ସମୟରେ ଭାରତୀୟ ଦଳ ତିନୋଟି ଆଇସିସି ଟ୍ରଫି ଜିତିଛି । ତେଣୁ ତାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ମଧ୍ୟ ଅନେକ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି । ଏହି ପ୍ରସଙ୍ଗରେ ବୋର୍ଡର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ନିଜ ପ୍ରତିକ୍ରିୟା ରଖିଛନ୍ତି ।
ଅଜିତ ଅଗରକରଙ୍କୁ ୨୦୨୩ ରେ ମୁଖ୍ୟ ଚୟନକର୍ତ୍ତା ରୂପେ ଚୟନ କରାଯାଇଥିଲା । ତାଙ୍କ ସମୟରେ ଭାରତୀୟ ଦଳ ଦିନିକିଆ ବିଶ୍ୱକପ ଫାଇନାଲରେ ପହଞ୍ଚିଥିଲା । ୨୦୨୪ ଓ ୨୦୨୬ ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ଚାମ୍ପିଅନ ହୋଇଥିଲା । ଏହା ସହ ୨୦୨୫ ଚାମ୍ପିଅନ୍ସ ଟ୍ରଫି ମଧ୍ୟ ଜିତିଥିଲା ଭାରତ। ତେଣୁ ଆଗାମୀ ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ କୁ ଦୃଷ୍ଟିରେ ରଖି ଅଗରକରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇପାରେ ।
ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏକ ଜାତୀୟ ଗଣମାଧ୍ୟମରେ ଦେଇଥିବା ଇଣ୍ଟରଭିଉରେ ଏହି ସୂଚନା ଦେଇଛନ୍ତି । ଅଜିତ ଅଗରକରଙ୍କ କାର୍ଯ୍ୟକାଳ ୨୦୨୭ ବିଶ୍ୱକପ ପର୍ଯ୍ୟନ୍ତ ବୃଦ୍ଧି ହେବା ନେଇ ପ୍ରଶ୍ନର ଉତ୍ତର ରଖିଥିଲେ ରାଜୀବ ଶୁକ୍ଳା ଓ କହିଥିଲେ " ଏହି ପ୍ରକାର ନିର୍ଣ୍ଣୟ ବିସିସିଆଇ ମ୍ୟାନେଜମେଣ୍ଟ ଉପରେ ନିର୍ଭର କରେ । ଏହା ଏଭଳି ନିଷ୍ପତି ଯାହା ଭାରତୀୟ ଦଳର ହିତକୁ ଦୃଷ୍ଟିରେ ରଖି ଠିକ ସମୟରେ ନିଷ୍ପତି ନିଆଯାଇଥାଏ । ଯେତେବେଳେ ଠିକ ସମୟ ଆସିବ ସେତେବେଳେ ବୋର୍ଡ ନିଷ୍ପତି ନେବ।"
ଭାରତୀୟ ଦଳର ସଫଳତାର ସିକ୍ରେଟ
ଭାରତ ନିକଟରେ ଅନେକ ସଫଳତା ହାସଲ କରିଛି । ଭାରତୀୟ ଦଳ ୩ ବର୍ଷ ଭିତରେ ୩ ଟି ଆଇସିସି ଟ୍ରଫି ଜିତି ସାରିଛି ଓ କିଛି ବର୍ଷ ଧରି ଲିମିଟେଡ଼ ଓଭର ଫର୍ମାଟରେ ଉତ୍କୃଷ୍ଟ ପ୍ରଦର୍ଶନ ମଧ୍ୟ କରୁଛି । ତେବେ ଭାରତୀୟ ଦଳର ସଫଳତା ପଚାର ସିକ୍ରେଟର କାରଣ କଣ ରହିଛି ପ୍ରଶ୍ନର ଉତ୍ତର ରଖିଥିଲେ ଶୁକ୍ଳା ଓ କହିଥଲେ "ଭାରତୀୟ ଦଳର ସଫଳତା ପଛରେ ଭାରତୀୟ ପ୍ରତିଭାବାନ କ୍ରିକେଟରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆଜି ଆମ ପାଖେ ପ୍ରତିଟି ସ୍ଥାନରେ ଖେଳିବା ପାଇଁ ୪-୫ ପ୍ରତିଭାବାନ ଖେଳାଳି ବିକଳ୍ପ ଭାବେ ଉପସ୍ଥିତ ଅଛନ୍ତି । ଘରୋଇ କ୍ରିକେଟର ଖେଳାଳିଙ୍କ ବିକାଶ ପାଇଁ ବିସିସିଆଇର ଚେଷ୍ଟା ଜାରି ରହିଛି ।"