ବାଂଲାଦେଶ ଟିମ ମ୍ୟାନେଜମେଣ୍ଟ ରିଷାଦ ହୁସେନଙ୍କ ବୋଲିଂ ଉପରେ ଗୁରୁତ୍ୱ ଦେଉଛନ୍ତି । ଗୋଟିଏ କିମ୍ବା ଦୁଇଟି ପ୍ରଭାବଶାଳୀ ଓଭର ପରିବର୍ତ୍ତେ ନିରନ୍ତର ବୋଲିଂ କରିବା ପାଇଁ ବାଂଲାଦେଶ ବୋର୍ଡ ରିଷାଦ ହୁସେନଙ୍କ ଉପରେ ବିଶେଷ ଧ୍ୟାନ ଦେଉଥିବା ସୂଚନା ଦେଇଛନ୍ତି ବାଂଲାଦେଶ ସ୍ପିନ ବୋଲିଂ କୋଚ ମୁସ୍ତାକ ଅହମଦ ।
ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଏକଦିବସୀୟ ମ୍ୟାଚରେ ଉପଲବ୍ଧ ନରହିବା ଯୁବ ଖେଳାଳିଙ୍କ ପାଇଁ ଆଶୀର୍ବାଦ ହୋଇପାରେ । ଏଭଳି ସମୟ ଖେଳାଳି ମାନଙ୍କୁ ମାନସିକ ଭାବେ ସୁଦୃଢ କରିବାରେ ସାହାଯ୍ୟ କରିଥାଏ ବୋଲି କହିଛନ୍ତି ପୂର୍ବତନ ଲେଗ ସ୍ପିନର ମୁସ୍ତାକ ଅହମଦ ।
ତୃତୀୟ ଦିନିକିଆରୁ ବାଦ ପଡିବା ପରେ ରିଷାଦ ହୁସେନ ଚର୍ଚ୍ଚାର ବିଷୟ ପାଲଟିଥିଲେ, ନିଜ ବୋଲିଂରେ ପ୍ରଭାବ ପକାଇବା ସତ୍ୱେ ତାଙ୍କ ବୋଲିଂର ସୀମିତ ବ୍ୟବହାରକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ କ୍ରିକେଟ ବିଶେଷଜ୍ଞ । ଗତ ବର୍ଷ ଅକ୍ଟୋବରରେ ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜରେ ବାଂଲାଦେଶର ପ୍ରମୁଖ ସ୍ପିନର ପାଲଟିଥିଲେ ରିଷାଦ ହୁସେନ । ସେ ଏହି ସିରିଜରେ ୧୨ ଟି ୱିକେଟ୍ ନେଇଥିଲେ ଯେଉଁଥିରେ ୬/୩୫ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ଥିଲା।
ବିଗ ବାସ ଲିଗରେ ହୋବର୍ଟ ହରିକେନ୍ସ ପାଇଁ ଖେଳୁଥିବାବେଳେ ରିଷାଦ ହୁସେନ ୧୧ ଟି ମ୍ୟାଚରେ ୧୫ ଟି ୱିକେଟ୍ ନେଇଥିଲେ । ବିଗ ବାସ ଲିଗରୁ ଫେରିବା ପରେ ତାଙ୍କ ବୋଲିଂରେ ସ୍ଥିର ପ୍ରଦର୍ଶନ ନଥିଲା, ପାକିସ୍ତାନ ବିପକ୍ଷ ଦ୍ଵିତୀୟ ଦିନିକିଆରେ ସେ କେବଳ ଦୁଇ ଓଭର ବୋଲିଂ କରିଥିଲେ । ସେହିଭଳି ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ମଧ୍ୟ ନିଜ ବୋଲିଂ କୋଟା ପୂରଣ କରିନଥିଲେ । ଏହା ପରେ ତାଙ୍କୁ ବିଶ୍ରାମ ଦିଆଯାଇଛି ।
ମୁସ୍ତାକ ଅହମଦ କହିଛନ୍ତି "ମୋ ଚିନ୍ତାଧାରା ଅନୁଯାୟୀ ଏହା ହେଉଛି ବିକାଶର ଏକ ଅଂଶ। ବେଳେବେଳେ ଦଳରୁ ବାଦ ପଡିବା ଭଲ ଓ କୋଚ ଭାବେ ଆମ କାମ ହେଉଛି ଖେଳାଳିଙ୍କ ମନୋଭାବକୁ ସୁଦୃଢ ରଖିବା । ଅନ୍ତର୍ଜାତୀୟ କ୍ରିକେଟରେ ସ୍ଥିର ପ୍ରଦର୍ଶନ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କ୍ରିକେଟ ହେଉଛି ବୁଦ୍ଧିର ଖେଳ, ପ୍ରତିଭା କୌଣସି ଖେଳାଳିଙ୍କୁ ଏହି ସ୍ତରରେ ପହଞ୍ଚାଇ ପାରିବ କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ ତିଷ୍ଠିବାକୁ ହେଲେ ବୁଦ୍ଧିର ସହ ଖେଳିବାକୁ ହେବ ।"
ଏହା ସହ ମୁସ୍ତାକ ଅହମଦ କହିଛନ୍ତି ହୁସେନଙ୍କୁ ଡ୍ରପ କରାଯାଇନାହିଁ ବରଂ ସେ ଶେଷ ଦିନିକିଆରେ ଭଲ ବୋଲିଂ କରିଥିଲେ, ଆମେ କେବଳ ସ୍ପିନ କ୍ଷେତ୍ରର ଅଧିକ ଶକ୍ତିଶାଳୀ ଟିମ ହେବାକୁ ଚାହୁଁଛୁ ଓ ଅନ୍ୟ ସ୍ପିନରଙ୍କୁ ମଧ୍ୟ ସୁଯୋଗ ଦେବାକୁ ଚାହୁଁଛୁ ।