ଗତ କିଛି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ପହଁଚିଥିବା ଚେନ୍ନାଇ ରବିବାର ଅପରାହ୍ନରେ ଗୁଜୁରାଟ ଟାଇଟାନ୍ସକୁ ଭେଟିବ। ଲଗାତାର ଦୁଇଟି ପରାଜୟକୁ ସାମ୍ନା କରି ଚେନ୍ନାଇ ପହଁଚିଥିବା ଗୁଜରାଟ ଟାଇଟାନ୍ସ ଏକ ଦୃଢ଼ ପ୍ରଦର୍ଶନ କରି କମ୍-ବ୍ୟାକ୍ କରିବାକୁ ଚେଷ୍ଟା କରିବ। ଆଜିର ଏହି ମ୍ୟାଚ ଚେନ୍ନାଇର ଘରୋଇ ମୈଦାନ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ।
ଚେନ୍ନାଇ ଚଳିତ ସିଜିନର ପ୍ରଥମ କିଛି ମ୍ୟାଚରେ ଭଲ ଆରମ୍ଭ କରିପାରିନଥିଲେ ମଧ୍ୟ ଶେଷ ଚାରୋଟି ମ୍ୟାଚରୁ ୩ ଟି ମ୍ୟାଚରେ ବିଜୟ ସହିତ ଫର୍ମକୁ ଫେରିଛି । ମୁମ୍ବାଇ ଇଂଡିଆନ୍ସ ବିପକ୍ଷ ମ୍ୟାଚରେ ୧୦୩ ରନର ଏକ ବିଶାଳ ବିଜୟ ସହ, ଇନ-ଫର୍ମ ସଂଜୁ ସାମସନ ଚଳିତ ସିଜିନର ଦ୍ଵିତୀୟ ସାତକ ହାସଲ କରିଛନ୍ତି । ଚେନ୍ନାଇ ବର୍ତ୍ତମାନ ଛଅ ପଏଣ୍ଟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ବର୍ତ୍ତମାନ ଦଳର ପ୍ରଦର୍ଶନକୁ ଦେଖି ଦଳ ଏକ ଦୃଢ଼ ସ୍ଥିତିରେ ଥିବା ପରି ମନେ ହେଉଛି।
ମୁମ୍ବାଇ ବିପକ୍ଷ ମ୍ୟାଚରେ କେବଳ ସାମସନଙ୍କ ଶତକ ନୁହେଁ ବରଂ ଅକିଲ ହୋସେନଙ୍କ ଚମତ୍କାର ବୋଲିଂ ବଳରେ ଚେନ୍ନାଇ ଏକ ବଡ ବିଜୟ ହାସଲ କରିଥିଲେ। ଦଳରେ ଅଭିଜ୍ଞ ଖେଳାଳି ମହେନ୍ଦ୍ର ସିଂହ ଧୋନି ଓ ଇନ-ଫର୍ମ ଆୟୁଷ ମାହତ୍ରେଙ୍କ ଅନୁପସ୍ଥିତିରେ ଚେନ୍ନାଇ କମ୍-ବ୍ୟାକ୍ କରିଛି। ତେବେ ଦଳର ଟପ୍ ଅର୍ଡର ଭଲ ପ୍ରଦର୍ଶନ କରୁଥିବାବେଳେ ମିଡିଲ ଅର୍ଡର ଦଳ ପାଇଁ ଚିନ୍ତାର ବିଷୟ । ଦଳର ଅଧିନାୟକ ଋତୁରାଜ ଗାଇକୱାଡ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ସର୍ଫରାଜ ଖାନ, ଶିବମ ଦୁବେ ଓ ଡେୱାଲ୍ଡ ବ୍ରେଭିସ୍ ସ୍ଥିର ପ୍ରଦର୍ଶନ କରିବାରେ ବିଫଳ ହେଉଛନ୍ତି, ଯାହା ଚେନ୍ନାଇ ପାଇଁ ଚିନ୍ତାର ବିଷୟ ।
ଗୁଜରାଟ ଟାଇଟାନ୍ସ ମଧ୍ୟ ଚଳିତ ସିଜିନରେ ପୂର୍ବଭଳି ପ୍ରଭାବଶାଳୀ ପ୍ରଦର୍ଶନ କରିପାରିନାହିଁ। ଗୁଜୁରାଟ ନିଜ ଶେଷ ଦୁଇଟି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ୯୯ ରନରେ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ପାଞ୍ଚ ୱିକେଟ୍ରେ ପରାସ୍ତ ହୋଇଛି। ତିନୋଟି ବିଜୟ ସହ ୬ ପଏଣ୍ଟ ଥିଲେ ମଧ୍ୟ ଖରାପ ନେଟ୍ ରନ୍ ରେଟ୍ ପାଇଁ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି ଗୁଜୁରାଟ। ଗୁଜୁରାଟର ବୋଲିଂ ୟୁନିଟ ଭଲ ଥିଲାବେଳେ ବ୍ୟାଟିଂ ୟୁନିଟର ପ୍ରଦର୍ଶନ ନିରାଶାଜନକ ରହିଛି । ପାୱାରପ୍ଲେରେ ଭଲ ଆରମ୍ଭ ସତ୍ୱେ ମିଡିଲ ଅର୍ଡର ରନ ଗତି ବଢାଇବାରେ ଅସଫଳ ହେଉଛନ୍ତି । ଅଧିନାୟକ ଶୁଭମନ ଗିଲ ମନ୍ଥର ଗତିରେ ବ୍ୟାଟିଂ କରୁଥିବାରୁ ବଡ ସ୍କୋର କରିବାରେ ଅସଫଳ ହେଉଛି ଗୁଜୁରାଟ । କେବଳ ବ୍ୟାଟିଂ ନୁହେଁ ଫିଲଡିଂରେ ମଧ୍ୟ ଗୁଜୁରାଟର ପ୍ରଦର୍ଶନ ଅତି ନିରାଶାଜନକ ରହିଛି । ଆରସିବି ବିପକ୍ଷ ମ୍ୟାଚରେ ବିରାଟଙ୍କ ଏକ ସହଜ କ୍ୟାଚ ଛାଡିବା ପରେ ବିରାଟ ଏକ ଚମତ୍କାର ଇନିଂସ ଖେଳିଥିଲେ ଓ ଗୁଜୁରାଟକୁ ପରାଜୟର ସାମ୍ନା କରିବାକୁ ପଡିଥିଲା।