ହାଇଦ୍ରାବାଦର ଅଧିନାୟକ ପ୍ୟାଟ କମିନ୍ସଙ୍କ ପ୍ରତ୍ୟାବର୍ତ୍ତନ ସହ ହାଇଦ୍ରାବାଦ ନିଜର ବିଜୟ ଧାରା ଜାରି ରଖିଛି । ଶନିବାର ସନ୍ଧ୍ୟାରେ ରାଜସ୍ଥାନ ରୟାଲ୍ସକୁ ୫ ୱିକେଟ୍ରେ ପରାସ୍ତ କରିଛି ହାଇଦ୍ରାବାଦ। ପ୍ୟାଟ କମିନ୍ସ ଟସ୍ ଜିତି ବୋଲିଂ କରିବା ନିଷ୍ପତ୍ତିକୁ ଠିକ ପ୍ରମାଣ କରିଛନ୍ତି ଦଳର ବ୍ୟାଟ୍ସମ୍ୟାନ ମାନେ । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଦେଇଥିବା ୨୨୯ ରନର ଟାର୍ଗେଟକୁ ପିଛା କରି ହାଇଦ୍ରାବାଦ ୧୮.୩ ଓଭରରେ ବିଜୟ ହାସଲ କରିଛି । ହାଇଦ୍ରାବାଦ ପାଇଁ ଈଶାନ କିଶାନ ୨୩୮.୭୧ ଷ୍ଟ୍ରାଇକ୍ ରେଟ୍ ରେ ସର୍ବାଧିକ ୭୪ ରନ କରିବା ସହ ପ୍ଲେଆର ଅଫ ଦ ମ୍ୟାଚ ମଧ୍ୟ ହୋଇଛନ୍ତି।
ଦଳର ଏଭଳି ପ୍ରଦର୍ଶନ ପରେ ଅଧିନାୟକ ପ୍ୟାଟ କମିନ୍ସ ଅତ୍ୟନ୍ତ ଖୁସି ଥିବା ସହ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସା ମଧ୍ୟ କରିଛନ୍ତି। ବୈଭବ ଗତ ସନ୍ଧ୍ୟା ମ୍ୟାଚରେ ତାଙ୍କ ଆଇପିଏଲ କ୍ୟାରିଅରର ଦ୍ଵିତୀୟ ଶତକ ମାରିଥିଲେ । ୧୨ ଟି ଛକା ଓ ୫ ଟି ଚୌକା ବଳରେ ବୈଭବ ୩୬ ବଲରେ ଏହି ଶତକ ହାସଲ କରିଥିଲେ । ଯାହାକୁ ଦେଖି ପ୍ୟାଟ କମିନ୍ସ ବେଶ ପ୍ରଭାବିତ ହୋଇଥିଲେ ଓ ମ୍ୟାଚ ପରେ ଇଣ୍ଟରଭିଉରେ ପ୍ୟାଟ କମିନ୍ସ କହିଥିଲେ "ଆଜିଠାରୁ ବୈଭବ ହେଉଛନ୍ତି ମୋର ନୂଆ ପ୍ରିୟ ଖେଳାଳି ।"
ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ
କେବଳ ପ୍ୟାଟ କମିନ୍ସ ନୁହନ୍ତି ବରଂ ବୈଭବ ଯେଉଁଭଳି ବ୍ୟାଟିଂ କରୁଛନ୍ତି, ତାଙ୍କୁ ନେଇ ଅନେକ ଖେଳାଳି ତାଙ୍କ ପ୍ରଶଂସା କରିଛନ୍ତି । ମାତ୍ର ୧୫ ବର୍ଷ ବୟସରେ ସେ କିଛି ଏଭଳି କରିଛନ୍ତି ଯାହା ପୂର୍ବରୁ କେହି କରିପାରିନାହାନ୍ତି । ମାତ୍ର ୧୫ ବର୍ଷ ବୟସରେ ଆଇପିଏଲରେ ସେ ଦୁଇଟି ଶତକ କରିସାରିଲେଣି । ଅନ-କ୍ୟାପ ଖେଳାଳି ଭାବେ ୨ ଟି ଶତକ କରିଥିବା ପ୍ରଥମ ଖେଳାଳି ହେଉଛନ୍ତି ବୈଭବ । ଆଇପିଏଲ ଇତିହାସରେ ଦୁଇ ଥର ଗୋଟିଏ ଇନିଂସରେ ୧୦ ରୁ ଅଧିକ ଛକା ମାରି ସାରିଲେଣି ବୈଭବ । ଆଇପିଏଲର ଗୋଟିଏ ଇନିଂସରେ ସର୍ବାଧିକ ଛକ୍କା ମାରିଥିବା ଭାରତୀୟ ହୋଇଛନ୍ତି ବୈଭବ, ସେ ମୁରଲୀ ବିଜୟଙ୍କ ଗୋଟିଏ ଇନିଂସରେ ସର୍ବାଧିକ ୧୧ ଟି ଛକାର ରେକର୍ଡ ଭାଙ୍ଗି ୧୨ ଟି ଛକା ମାରିଛନ୍ତି ।