ଗଞ୍ଜାମ: ଗୋପାଳପୁରର ଚର୍ଚ୍ଚିତ ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡ ମାମଲାରେ ଆଜି କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଛି ପୋଲିସ । ରବିବାର ପୂର୍ବାହ୍ନରେ ରିମାଣ୍ଡରେ ଥିବା ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ କାଳୁ ଚରଣ ପ୍ରଧାନଙ୍କୁ ହତ୍ୟାକାଣ୍ଡସ୍ଥଳକୁ ନେଇ କେତେବେଳେ ଏବଂ କେମିତି ସୁଧୀରଙ୍କୁ ହତ୍ୟା କରାଯାଇଥିଲା ତାହାର ତଥ୍ୟ ଓଗାଳିଛି ପୋଲିସ ।
ଭାବିନାରାୟଣପୁର ରାସ୍ତାରେ ସାଢ଼େ ଚାରିଟା ସମୟରୁ କାଳୁଚରଣ ପ୍ରଧାନ ରେକି କରିଥିଲା । ଭଲି ବଲ୍ ପଡ଼ିଆରେ ସୁଧୀର ପହଁଚିଥିଲେ ମଧ୍ୟ ସେଦିନ ଖେଳି ନଥିଲେ । ସୁଧୀର ପଡ଼ିଆରୁ ବାଇକ୍ ଧରି ବାହାରିବା ପରେ ପୂର୍ବରୁ କାଳୁଚରଣ ନିର୍ଦ୍ଦେଶାନୁସାରେ ରାସ୍ତାରେ ଜଗି ରହିଥିବା ଅନ୍ୟ ସହଯୋଗୀମାନେ ସୁଧୀରଙ୍କୁ ବାଟରେ ଅଟକାଇଥିଲେ । ଏହା ପରେ ତାଙ୍କୁ ଅପହରଣ କରିନେଇଥିଲେ ।
ସୂଚନା ମୁତାବକ, ଗତ ୧୫ ତାରିଖରେ ସୁଧୀର ପାତ୍ର ଭଲିବଲ୍ ଖେଳିବାକୁ ଭାବିନାରାୟଣପୁର ପଡ଼ିଆକୁ ଯାଇଥିଲେ । ସେଠାରୁ ଫେରୁଥିବା ସମୟରେ ତାଙ୍କୁ ଅପହରଣ କରି ନିଆଯାଇଥିଲା । ବୁଗୁଡ଼ାରେ ତାଙ୍କୁ ହତ୍ୟା କରି ରାଶିପଙ୍କାଳରେ ଏକ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ସୁଧୀରଙ୍କ ଝିଆରି ନିବେଦିତା ପାତ୍ର ଓ ପୁତୁରା ତୁଷାରଙ୍କ ସମେତ ୯ ଅଭିଯୁକ୍ତ ସାମିଲ ଅଛନ୍ତି । କାଳୁଚରଣ ନିବେଦିତାଙ୍କ ପୁରୁଷ ବନ୍ଧୁ । ମାମଲାରେ ପୋଲିସ ୫ ଅଭିଯୁକ୍ତ କାଳୁ ଚରଣ ପ୍ରଧାନ, ସୂର୍ୟ୍ୟ ପ୍ରତାପ ସିଂ, ନାରାୟଣ ପ୍ରଧାନ, ଜିତୁନ ପଲେଇ ଓ ଆଶିଷ ମହାପାତ୍ରଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି । ଆସନ୍ତାକାଲି ସମସ୍ତଙ୍କ ରିମାଣ୍ଡ ଅବଧି ଶେଷ ହେବ ।