ରବିବାର ସନ୍ଧ୍ୟାରେ ଏକାନା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଓ କୋଲକାତା ନାଇଟ୍ ରାଇଡର୍ସ। ପଏଣ୍ଟ ଟେବୁଲର ନବମ ଓ ଦଶମ ସ୍ଥାନରେ ଥିବା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ । ଏହା ବ୍ୟତୀତ ଚଳିତ ସିଜିନରେ ଏହି ଦୁଇ ଦଳ ଦ୍ଵିତୀୟ ଥର ପାଇଁ ମୁହାଁମୁହିଁ ହେଉଥିବାରୁ ଆଜିର ମ୍ୟାଚ ବେଶ ରୋମାଞ୍ଚକର ହେବ । ଯେତେବେଳେ ଦୁଇ ଦଳ ପ୍ରଥମ ଥର କୋଲକାତାରେ ମୁହାଁମୁହିଁ ହୋଇଥିଲେ ମୁକୁଲ ଚୌଧୁରୀ ଏକ ଚମତ୍କାର ଇନିଂସ ଖେଳି କୋଲକାତା ମୁହଁରୁ ବିଜୟର ସ୍ୱାଦ ଛଡାଇ ନେଇଥିଲେ ।
ଚଳିତ ସିଜିନରେ ଲକ୍ଷ୍ନୌର ପ୍ରଦର୍ଶନ ନିଜ ଘରୋଇ ମୈଦାନରେ ବେଶ ଦୁର୍ବଳ ରହିଛି । ଏକାନା ଷ୍ଟାଡିୟମରେ ତିନୋଟି ମ୍ୟାଚ ଖେଳିଥିବାବେଳେ ତିନୋଟି ମ୍ୟାଚରେ ପରାଜିତ ହୋଇଛି ଲକ୍ଷ୍ନୌ । ଦଳର ଅଧିନାୟକ ରିଷଭ ପନ୍ତ, ନିକୋଲାସ ପୁରନ ଓ ଏଇଡେନ ମାର୍କରାମ ଚଳିତ ସିଜିନରେ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି । ବ୍ୟାଟିଂ ୟୁନିଟରେ ସ୍ଥିର ପ୍ରଦର୍ଶନ ଅଭାବରୁ ଲକ୍ଷ୍ନୌ ପାଇଁ ମ୍ୟାଚ ଜିତିବା କଷ୍ଟକର ହୋଇପଡୁଛି । ପ୍ଲେଅଫରେ ପହଞ୍ଚିବାକୁ ହେଲେ ଲକ୍ଷ୍ନୌକୁ ଆଜିର ମ୍ୟାଚକୁ ଜିତିବାକୁ ହେବ, ଅନ୍ୟଥା ପ୍ଲେଅଫ ଦୌଡରେ ବହୁ ପଛରେ ରହିଯିବ ଲକ୍ଷ୍ନୌ ।
କୋଲକାତା ନାଇଟ ରାଇଡ଼ର୍ସ ଚଳିତ ସିଜିନରେ ୭ ଟି ମ୍ୟାଚରୁ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି । ଲଗାତାର ୬ ଟି ପରାଜୟ ପରେ ନିଜ ଶେଷ ମ୍ୟାଚରେ ରାଜସ୍ଥାନକୁ ପରାସ୍ତ କରିଛି କୋଲକାତା । କୋଲକାତାର ବ୍ୟାଟିଂ ଚଳିତ ସିଜିନରେ ବେଶ ନିରାଶାଜନକ ରହିଛି । ସ୍ପିନ ବୋଲିଂ ବଳରେ ପ୍ରତିଦ୍ୱନ୍ଦୀଙ୍କୁ ବ୍ୟାକ୍-ଫୁଟରେ ପକାଉଥିବା କୋଲକାତାର ସ୍ପିନର ରାଜସ୍ଥାନ ବିପକ୍ଷ ମ୍ୟାଚରେ ଫର୍ମ ଫେରିପାଇଛନ୍ତି । ବରୁଣ ଚକ୍ରବର୍ତ୍ତୀ ଓ ସୁନୀଲ ନାରିନ ଗତ ମ୍ୟାଚରେ ସମୁଦାୟ ୫ ଟି ୱିକେଟ୍ ନେଇଛନ୍ତି । ବିସ୍ଫୋରକ ବ୍ୟାଟର ରିଙ୍କୁ ସିଂ ମଧ୍ୟ ନିଜ ଫର୍ମ ଫେରିପାଇଛନ୍ତି । ଆଜିର ମ୍ୟାଚ ଏକାନା ଷ୍ଟାଡିୟମରେ ଖେଳାଯାଉଥିବାବେଳେ ଏହି ଗ୍ରାଉଣ୍ଡ ହେଉଛି ରିଙ୍କୁଙ୍କ ଘରୋଇ ଗ୍ରାଉଣ୍ଡ । ଗତ ଦୁଇ ବର୍ଷ ଧରି ୟୁପି ଟି-୨୦ ରେ ରିଙ୍କୁ ଏହି ଗ୍ରାଉଣ୍ଡରେ ଖେଳିବା ସହ ଗ୍ରାଉଣ୍ଡ ସହ ମଧ୍ୟ ବେଶ ପରିଚିତ ।