ରବିବାର ଆଇପିଏଲର ୩୮ ତମ ମ୍ୟାଚରେ କୋଲକାତା ନାଇଟ ରାଇଡ଼ର୍ସ ଏକ ରୋମାଞ୍ଚକର ସୁପର ଓଭରରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ପରାସ୍ତ କରିଛି । ଏହି ମ୍ୟାଚରେ 'ଅବଷ୍ଟ୍ରକ୍ଟିଙ୍ଗ ଦ ଫିଲ୍ଡ' ଅର୍ଥାତ ପଡିଆରେ ଫିଲ୍ଡିଂକୁ ବାଧା ଦେବା ଚେଷ୍ଟାରେ ଅଙ୍ଗକ୍ରିଶ ରଘୁବଂଶୀଙ୍କୁ ଆଉଟ ଘୋଷଣା କରିଥିଲେ ତୃତୀୟ ଅମ୍ପାୟାର । ଏହା ପରେ ରଘୁବଂଶୀଙ୍କ "ଆକ୍ରମଣାତ୍ମକ" ପ୍ରତିକ୍ରିୟା ପାଇଁ ତାଙ୍କୁ ମ୍ୟାଚ ଫିସର ୨୦ ପ୍ରତିଶତ ଜରିମାନା ଲାଗୁ ହେବା ସହ ଗୋଟିଏ ଡିମେରିଟ ମଧ୍ୟ ମିଳିଛି ।
ମ୍ୟାଚର ପ୍ରଥମ ଇନିଂସର ପଞ୍ଚମ ଓଭରରେ ଏଭଳି ଏକ ସ୍ଥିତି ଦେଖିବାକୁ ମିଳିଥିଲା । ପ୍ରିନ୍ସ ଯାଦବଙ୍କ ଓଭରର ଶେଷ ବଲରେ ସିଂଗିଲ ନେବାକୁ ଚେଷ୍ଟା କରୁଥିଲେ ରଘୁବଂଶୀ, ବଲ ଫିଲ୍ଡରଙ୍କ ହାତରେ ଥିବାରୁ କ୍ରିଜକୁ ଫେରିଯିବାବେଳେ ନିଜ ମାର୍ଗ ପରିବର୍ତ୍ତନ କରିଥିଲେ ଓ ବଲ ଆସି ତାଙ୍କ ଶରୀରରେ ବାଜିଥିଲା । ଲକ୍ଷ୍ନୌ ଆବେଦନ କ୍ରମେ ତୃତୀୟ ଅମ୍ପାୟାର ଏହି ଘଟଣା ପୁନର୍ବାର ଦେଖିବା ସହ ରଘୁବଂଶୀଙ୍କୁ ଆଉଟ ଘୋଷଣା କରିଥିଲେ ।
ଏହି ସମୟରେ ନିରାଶ ହୋଇ ପଡ଼ିଆରୁ ଫେରୁଥିବାବେଳେ ରଘୁବଂଶୀ ଆକ୍ରମଣାତ୍ମକ ଢଙ୍ଗରେ ବାଉଣ୍ଡ୍ରି କୁଶନକୁ ମାରିଥିଲେ ଓ ସମାନ ଢଙ୍ଗରେ ତାଙ୍କ ହେଲମେଟକୁ ଡଗ୍ ଆଉଟ୍ ଭିତରକୁ ଫୋପାଡ଼ିଥିଲେ । ରଘୁବଂଶୀଙ୍କ ଏଭଳି ଆଚରଣ ପାଇଁ ତାଙ୍କୁ ଆଇପିଏଲ ନିୟମଧାରା ୨.୨ ଅନୁଯାୟୀ ମ୍ୟାଚ ଫିସର ୨୦ ପ୍ରତିଶତ ଜରିମାନା ଲାଗୁ ହେବା ସହ ଗୋଟିଏ ଡିମେରିଟ ମଧ୍ୟ ମିଳିଛି ।