ଆଇପିଏଲ ୨୦୨୬ ରେ ଭଲ ଆରମ୍ଭ କରିବା ସତ୍ୱେ ଦିଲ୍ଲୀ କ୍ୟାପିଟାଲ୍ସ ଏବେ ଦୁର୍ବଳ ଭଳି ନଜର ଆସୁଛି । ଲିଗ୍ ର ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ହାସଲ କରିବା ପରେ ପରବର୍ତ୍ତୀ ୫ ଟି ମ୍ୟାଚରୁ ମାତ୍ର ଗୋଟିଏ ବିଜୟ ହାସଲ କରିଛି ଦିଲ୍ଲୀ । ଏହା ଫଳରେ ୭ ଟି ମ୍ୟାଚରେ ୩ ଟି ବିଜୟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି । ଚଳିତ ସିଜିନରେ ଦିଲ୍ଲୀ ନିଜ ଘରୋଇ ମୈଦାନର ଲାଭ ଉଠାଇପାରୁନାହିଁ । ନିଜର ଶେଷ ଦୁଇଟି ମ୍ୟାଚ ଅରୁଣ ଜେଟଲୀ ଷ୍ଟାଡିୟମରେ ଥିବାବେଳେ ଦୁଇଟି ଯାକ ମ୍ୟାଚରେ ପରାଜିତ ହୋଇଛି ଦିଲ୍ଲୀ ।
ଦିଲ୍ଲୀର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଲଗାତାର ରନ କରୁଛନ୍ତି ଓ ପଞ୍ଜାବ ବିପକ୍ଷ ମ୍ୟାଚରେ ୯୧ ରନର ଇନିଂସ ଖେଳି ଫର୍ମକୁ ଫେରିଛନ୍ତି ନୀତିଶ ରାଣ। ମଧ୍ୟ୍ୟକ୍ରମରେ ସମୀର ରିଜବି ଲିଗ ଆରମ୍ଭରୁ ଭଲ ଫର୍ମରେ ଥିବାବେଳେ ଗତ କିଛି ମ୍ୟାଚ ହେବ ବଡ ସ୍କୋର କରିପାରିନାହାନ୍ତି । ଦଳର ଅନ୍ୟ ବ୍ୟାଟର ସେଭଳି ସ୍ଥିର ପ୍ରଦର୍ଶନ କରୁନଥିବାବେଳେ ଦଳର ବୋଲିଂ ୟୁନିଟ ବେଶ ଦୁର୍ବଳ ରହିଛି । କେବଳ ବୋଲିଂ ନୁହେଁ ଖରାପ ଫିଲଡିଂ ଯୋଗୁ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ମଧ୍ୟ ଆଇପିଏଲ ଇତିହାସର ସବୁଠାରୁ ବଡ ପରାଜୟର ସାମ୍ନା କରିଛି ଦିଲ୍ଲୀ ।
ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହ ମୁହାଁମୁହିଁ ହେବ ଦିଲ୍ଲୀ କ୍ୟାପିଟାଲ୍ସ । ଡ଼ିଫେଣ୍ଡିଙ୍ଗ ଚାମ୍ପିଅନ ଆରସିବି ପାଖରେ ବିସ୍ଫୋରକ ବ୍ୟାଟିଂ ୟୁନିଟ ଥିବା ସହ ଘାତକ ବୋଲିଂ ୟୁନିଟ ମଧ୍ୟ ଅଛି । ୭ ଟି ମ୍ୟାଚରୁ ପାଞ୍ଚଟି ବିଜୟ ସହ ବେଙ୍ଗାଲୁରୁ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନରେ ରହିଛି ।
ବିରାଟ କୋହଲି, ଦେବଦତ୍ତ ପାଡିକଲ, ରଜତ ପାଟିଦାର ଓ ଟିମ ଡେଭିଡ ଭଲ ଫର୍ମରେ ଅଛନ୍ତି । ଏହା ବ୍ୟତୀତ ଦଳରେ ଜୀତେଶ ଶର୍ମା ଓ ରୋମାରିଓ ସେଫର୍ଡଙ୍କ ଭଳି ଫିନିସର ମଧ୍ୟ ଅଛି । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମର ବାଉଣ୍ଡ୍ରି ଛୋଟ ହୋଇଥିବାରୁ ଆରସିବିର ବ୍ୟାଟ୍ସମ୍ୟାନଙ୍କୁ ଅଟକାଇବା ଦିଲ୍ଲୀ ବୋଲରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇପାରେ ।
ପଞ୍ଜାବ ବିପକ୍ଷ ମ୍ୟାଚରେ ଆହତ ହୋଇଥିବା ଲୁଙ୍ଗି ଇଂଗିଡ଼ିଙ୍କ ଅନୁପସ୍ଥିତି ଦଳ ପାଇଁ ଚିନ୍ତାଜନକ ହୋଇପାରେ । ଯଦି ସେ ଆରସିବି ବିପକ୍ଷ ମ୍ୟାଚରେ ସମ୍ପୂର୍ଣ୍ଣ ସୁସ୍ଥ ନହୁଅନ୍ତି ତେବେ ଦିଲ୍ଲୀକୁ ବଡ ଝଟକା ଲାଗିପାରେ । ପ୍ଲେଅଫ ଦୌଡ଼ରେ ଜୀବିତ ରହିବା ପାଇଁ ଦିଲ୍ଲୀକୁ ନିଜ ଘରୋଇ ମୈଦାନରେ କମ୍-ବ୍ୟାକ୍ କରିବାକୁ ହେବ ।