ଆଇପିଏଲ ୨୦୨୬ ର ୩୮ ତମ ମ୍ୟାଚ ରୋମାଞ୍ଚକର ମୋଡରେ ଆସି ଶେଷ ହୋଇଛି । କୋଲକାତା ଦେଇଥିବା ୧୫୫ ରନର ଲକ୍ଷ୍ୟକୁ ଚେଜ କରିବାକୁ ଯାଇ ଲକ୍ଷ୍ନୌ ମ୍ୟାଚକୁ ଟାଇରେ ସମାପ୍ତ କରିଥିଲା । ସୁପର ଓଭରରେ ମାତ୍ର ୧ ରନ କରିବାରୁ ଲକ୍ଷ୍ନୌକୁ ସହଜରେ ହରାଇଲା କୋଲକାତା । ତେବେ ପୂର୍ବରୁ ନିକୋଲାସ ପୁରନ ଓ ସୁନୀଲ ନାରିନ ସୁପର ଓଭରରେ ମୁହାଁମୁହିଁ ହୋଇସାରିଛନ୍ତି ଓ ସୁନୀଲ ନାରିନ, ନିକୋଲାସ ପୁରନଙ୍କୁ ଆଉଟ ମଧ୍ୟ କରିଛନ୍ତି । ଆସନ୍ତୁ ଜାଣିବା କେବେ ହୋଇଥିଲା ଏମିତି ?
କ୍ୟାରିବିଆନ ପ୍ରିମିଅର ଲିଗର ଏକ ସୁପର ଓଭରରେ ମୁହାଁମୁହିଁ ହୋଇଥିଲେ ସୁନୀଲ ନାରିନ ଓ ନିକୋଲାସ ପୁରନ
୧୭ ଜୁଲାଇ ୨୦୧୪ ରେ ଟ୍ରିନିଡାଡ ଓ ଟୋବାଗୋ ରେଡ ଷ୍ଟିଲ ଏବଂ ଗୟାନା ଆମାଜୋନ ୱାରିଅର୍ଶ ମଧ୍ୟରେ ଏକ ଲୋସ୍କୋରିଂ ମ୍ୟାଚ ସୁପର ଓଭରରେ ପହଞ୍ଚିଥିଲା । ଏହି ସୁପର ଓଭରରେ କିଛି ଏଭଳି କାରନାମା କରିଥିଲେ ସୁନୀଲ ନାରିନ ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୁନୀଲ ନାରିନ ଗୟାନା ଆମାଜୋନ ୱାରିଅର୍ଶ ପାଇଁ ଖେଳୁଥିଲେ ଓ ନିକୋଲାସ ପୁରନ ଟ୍ରିନିଡାଡ ଓ ଟୋବାଗୋ ରେଡ ଷ୍ଟିଲ ପାଇଁ ଖେଳୁଥିଲେ ।
ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ ଗୟାନା ଆମାଜୋନ ୱାରିଅର୍ଶ ଓ ସେମାନେ ୧୧ ରନ ସଂଗ୍ରହ କରିଥିଲେ । ଟ୍ରିନିଡାଡ ଓ ଟୋବାଗୋ ରେଡ ଷ୍ଟିଲକୁ ଜିତିବା ପାଇଁ ୧୨ ରନ ଆବଶ୍ୟକତା ଥିଲା । ବୋଲିଂ କରିବାକୁ ଆସିଲେ ସୁନୀଲ ନାରିନ ଓ ଷ୍ଟ୍ରାଇକରେ ଥିଲେ ନିକୋଲାସ ପୁରନ । ସୁନୀଲ ନାରିନ ନିଜ ସ୍ପିନ ଯାଦୁରେ ନିକୋଲାସ ପୁରନଙ୍କୁ ଚକିତ କରିଦେଇଥିଲେ, ପ୍ରଥମ ଚାରୋଟି ବଲ ନିକୋଲାସ ପୁରନଙ୍କ ବ୍ୟାଟରେ ବାଜିନଥିଲା । ପଞ୍ଚମ ବଲ ବ୍ୟାଟରେ ବାଜିଲା ସତ କିନ୍ତୁ ସିଧା ଯାଇ ଲଙ୍ଗ-ଅଫ ଫିଲଡରଙ୍କ ହାତରେ ପଡିଲା ଓ ନିକୋଲାସ ପୁରନ ଆଉଟ ହୋଇଥିଲେ । ଶେଷ ବଲକୁ ଡଟ ବଲରେ ସମାପ୍ତ କରି, ସୁପର ଓଭରରେ ମେଡେନ ୱିକେଟ୍ ନେଇଥିଲେ ସୁନୀଲ ନାରିନ ।
କୋଲକାତା ନାଇଟ ରାଇଡ଼ର୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସର ସୁପର ଓଭର
ରବିବାର ରାତିରେ ଦେଖିବାକୁ ମିଳିଥିବା ସୁପର ଓଭର ଏକତରଫା ହୋଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ ଲକ୍ଷ୍ନୌ ସୁପର ଜାଏଣ୍ଟସର ନିକୋଲାସ ପୁରନ ଓ ଏଇଡେନ ମାର୍କରମ । କୋଲକାତା ପାଇଁ ସୁପର ଓଭର ପକାଇବାକୁ ଆସିଥିଲେ ସୁନୀଲ ନାରିନ । ସୁପର ଓଭରର ପ୍ରଥମ ବଲ ଖେଳିବା ପାଇଁ ଷ୍ଟ୍ରାଇକରେ ଥିଲେ ନିକୋଲାସ ପୁରନ ଓ ପ୍ରଥମ ବଲରେ ତାଙ୍କୁ କ୍ଲିନ-ବୋଲ୍ଡ କରିଥିଲେ ସୁନୀଲ ନାରିନ । ଦ୍ଵିତୀୟ ବଲରେ ସିଂଗିଲ ନେଇଥିଲେ ରିଷବ ପନ୍ତ ଓ ପରବର୍ତ୍ତୀ ବଲରେ ଏଇଡେନ ମାର୍କରମ ବଡ ସର୍ଟ ଖେଳିବାକୁ ଯାଇ ନିଜ ୱିକେଟ୍ ହରାଇଥିଲେ । କୋଲକାତା ସାମ୍ନାରେ ୨ ରନର ଟାର୍ଗେଟ ଥିବାବେଳେ ପ୍ରଥମ ବଲରେ ଚୌକା ମାରିଥିଲେ ରିଙ୍କୁ ଓ କୋଲକାତା ସୁପର ଓଭରରେ ମ୍ୟାଚ ଜିତିଥିଲା ।