ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ପାଇଁ ଆସୁଛି ଏକ ବଡ଼ ପରିବର୍ତ୍ତନ। ଶ୍ରୀଲିଙ୍ଗରାଜ ମନ୍ଦିରର ସଂସ୍କାର ଓ ସୁଚାରୁ ପରିଚାଳନା ପାଇଁ ଖୁବ ଶୀଘ୍ର ଏକ ସ୍ୱତନ୍ତ୍ର ଆଇନ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏହାକୁ ନେଇ ଲୋକସେବା ଭବନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ କମିଟିର ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି।
କମିଟି ଅଧ୍ୟକ୍ଷ ଜଷ୍ଟିସ ଦୁର୍ଗା ପ୍ରସନ୍ନ ଚୌଧୁରୀ କହିଛନ୍ତି, ଏହି ରିପୋର୍ଟରେ ମନ୍ଦିରର ନୀତିକାନ୍ତି, ସୁରକ୍ଷା ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନ ଉପରେ ଦର୍ଶାଯାଇଛି। ଜାନୁଆରୀ ୨୦୨୬ରେ ପ୍ରଥମ ରିପୋର୍ଟ ଆସିଥିବା ବେଳେ, ଏହି ଦ୍ୱିତୀୟ ରିପୋର୍ଟ ମନ୍ଦିର ପରିଚାଳନାକୁ ଆହୁରି ସୁସ୍ଥିର କରିବାର ଦିଗରେ ବଡ଼ ପଦକ୍ଷେପ ମନାଯାଉଛି।
ବିଶେଷ କଥା ହେଲା, ପୁରୀର ଜଗନ୍ନାଥ ମନ୍ଦିର ପରି ମଧ୍ୟ ଏଠାର ବ୍ୟବସ୍ତା କରାଯିବ। ଏହି ରିପୋର୍ଟରେ ଭକ୍ତ, ସେବାୟତ, ASI ଓ ଆଇନ ବିଶେଷଜ୍ଞମାନଙ୍କ ମତାମତକୁ ସମ୍ମିଳିତ କରାଯାଇଛି। କମିଟି ଗଠନ ପରେ ମନ୍ଦିରରେ ବିଶୃଙ୍ଖଳା କମିଥିବା ଦେଖାଯାଉଛି, ଯାହା ଏହି ପଦକ୍ଷେପର ସଫଳତାକୁ ସୂଚାଉଛି।
ଆଗାମୀ ଦିନରେ ଅଧିକ ମତ ସଂଗ୍ରହ କରି ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହେବ ଏବଂ ପରେ ଏହାକୁ ଆଇନର ଆକାର ଦିଆଇବ। ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶୃଙ୍ଖଳା, ସୁରକ୍ଷା ଓ ଭକ୍ତସେବାରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ।