ଗଞ୍ଜାମ:ବଡଭାଇର ବାହାଘର ବରଯାତ୍ରୀ ଯିବା ବେଳେ ସାନଭାଇକୁ ହତ୍ୟା। ଗଞ୍ଜାମ ପୋଲସରା ବ୍ଳକ ବାଲିଘାଇ ଗାଁରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା। ଗତକାଲି ବଡ଼ ଭାଇ ବାହାଘର ପ୍ରୋସେସନ ଚାଲିଥିବା ବେଳେ ସାନଭାଇକୁ ସଂଘବଧ ଆକ୍ରମଣ ହୋଇଛି।
ସାଧାରଣ କଥାକାଟାକାଟି ଠାରୁ ଆରମ୍ଭ ହୋଇଥିବା ଯୁକ୍ତିତର୍କ କିପରି ଏତେ ଭୟାବହ ରୂପ ନେଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ଗୁରୁତର ଆହତ ଆକାଶଙ୍କୁ ପ୍ରଥମେ ପୋଲସରା ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ, ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ। ଏହି ନିର୍ମମ ହତ୍ୟା ପରେ ଗାଁରେ ଦେଖିବାକୁ ମିଳିଛି ଉତ୍ତେଜନା। ଉତ୍ୟକ୍ତ ଗ୍ରାମବାସୀ ଓ ପରିବାର ଲୋକେ ପୋଲସରା ଫରେଷ୍ଟ କଲୋନୀ ଛକରେ ମୃତଦେହ ରଖି ଟାୟାର ଜାଳି ପ୍ରତିବାଦ କରିଥିଲେ। ଫଳରେ କବିସୂର୍ଯ୍ୟନଗର-ପୋଲସରା ମୁଖ୍ୟ ରାସ୍ତାରେ ଯାତାୟାତ ପୂରାପୁରି ବନ୍ଦ ହୋଇଯାଇଥିଲା।
ବରଯାତ୍ରୀ ଯିବା ବେଳେ ଡିଜେ ବାଜିବା ନେଇ ବିବାଦ ହୋଇଥିବା ଶୁଣିବାକୁ ମିଳୁଛି। ପରିସ୍ଥିତି ଗମ୍ଭୀର ହେବା ପରେ ପୂର୍ବତନ ନଗରପାଳ ପ୍ରଫୁଲ୍ଲ ପ୍ରଧାନଙ୍କ ମଧ୍ୟସ୍ଥତାରେ ଅସ୍ଥାୟୀ ସମାଧାନ ହୋଇଥିଲା। ପୋଲିସ ପକ୍ଷରୁ ତିନି ଦିନ ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ରାସ୍ତା ଅବରୋଧ ହଟାଇଥିଲେ। ତଥାପି ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ ଯଦି ଶୀଘ୍ର ନ୍ୟାୟ ନ ମିଳିବ, ତେବେ ପୁଣିଥରେ ରାଜରାସ୍ତାକୁ ଓଲ୍ହାଇବେ ଲୋକେ।