ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂ ବଳରେ ଅନେକ କ୍ରିକେଟ ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି । ହାଇଦ୍ରାବାଦ ବିପକ୍ଷ ମ୍ୟାଚ ପରେ ପ୍ୟାଟ କମିନ୍ସ ମଧ୍ୟ ବୈଭବଙ୍କ ବ୍ୟାଟିଂର ପ୍ରଶଂସା କରିଥିଲେ କହିଥିଲେ ଆଜିଠାରୁ ବୈଭବ ମୋର ନୂଆ ପ୍ରିୟ ଖେଳାଳି । ବୈଭବ ଯେଉଁଭଳି କ୍ରିକେଟ ଖେଳୁଛନ୍ତି ପିଲାଠାରୁ ବଡ ସମସ୍ତେ ତାଙ୍କ କ୍ରିକେଟକୁ ଭଲ ପାଉଛନ୍ତି । ଏହି ଯୁବ କ୍ରିକେଟର ଯେଉଁ ସ୍ଥାନକୁ ଯାଉଛନ୍ତି ସେଠାରେ ତାଙ୍କ ଫ୍ୟାନ୍ସ ତାଙ୍କ ପାଇଁ ଅପେକ୍ଷା କରି ରହୁଛନ୍ତି ।
ନିକଟରେ ବୈଭବଙ୍କୁ ଦୁଇ ଜଣ କୁନି ଫ୍ୟାନ୍ସ ଭେଟିଥିଲେ ଓ ତାଙ୍କ ସହ ଫଟୋ ଉଠାଇବାକୁ ଅନୁରୋଧ କରିଥିଲେ । ଏହି ସମୟରେ ବୈଭବ କୁନି ଫ୍ୟାନ୍ସଙ୍କୁ ଫଟୋ ଉଠାଇବା ପାଇଁ ଟଙ୍କା ମାଗିଥିଲେ । ତେବେ ଏଭଳି ଏକ ଭିଡିଓ ରାଜସ୍ଥାନ ରୟାଲ୍ସର ସୋସିଆଲ ମିଡ଼ିଆ ପେଜରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବୈଭବ ଏକ ବିମାନବନ୍ଦରରେ ବସିଥିବାବେଳେ ଦୁଇ ଛୋଟ ପିଲା ତାଙ୍କ ପାଖକୁ ଆସି ଫଟୋ ଉଠାଇବାକୁ ଅନୁରୋଧ କରୁଛନ୍ତି । ସେହି ସମୟରେ ବୈଭବ ସେମାନଙ୍କୁ କହୁଛନ୍ତି "ମୁଁ ଫଟୋ ଉଠାଇବା ପାଇଁ ପଇସା ନିଏ" । ଯାହାକୁ ଶୁଣି ବୈଭବଙ୍କ ଛୋଟ ଫ୍ୟାନ୍ସ ଫେରି ଯାଉଥିବାବେଳେ ବୈଭବ କହିଛନ୍ତି "ଶୁଣ ଶୁଣ ମୁଁ ଫଟୋ ଉଠାଇବାକୁ ୧୦୦ ଟଙ୍କା ନେବି" । ଏହାରି ଭିତରେ ଜଣେ ଫ୍ୟାନ ୨୦୦ ଟଙ୍କା ଦେଇ ବୈଭବଙ୍କୁ କହୁଛନ୍ତି "୨୦୦ ଟଙ୍କା ନିଅନ୍ତୁ କିନ୍ତୁ ଆମ ଦୁଇ ଜଣଙ୍କ ସହ ଫଟୋ ଉଠାନ୍ତୁ ।" ଏତିକି ବେଳେ ବୈଭବ ମଜାକ କରୁଥିବା କହିବା ସହ ଦୁଇ ଫ୍ୟାନ୍ସଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି । ଏହି ଭିଡିଓ ବେଶ ଭାଇରାଲ ହେବା ସହ ଅନେକ ଫ୍ୟାନ୍ସ ବୈଭବଙ୍କ ଏଭଳି ମଜାଳିଆ ବ୍ୟବହାରକୁ ପସନ୍ଦ କରିଛନ୍ତି ।