ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେଇଥିବା ରାଘବ ଚଢ଼ାଙ୍କ ପାଇଁ ଏବେ ଧିରେ ଧିରେ ଅଡ଼ୁଆ ବଢ଼ିବାରେ ଲାଗିଛି । ରାଘବଙ୍କ ରାଜନୈତିକ ଜୀବନର ପ୍ରତିଫଳନ ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ପଡ଼ିଛି । ରାଜନୈତିକ ବିବାଦ ଭିତରକୁ ଟାଣି ହୋଇ ଆସିଛି ବୈବାହିକ ଜୀବନ । ଆଉ ଆପ୍-ରାଘବ କଳିରେ ଏବେ ବଳି ପଡ଼ିଛନ୍ତି ତାଙ୍କ ଅଭିନେତ୍ରୀ ପତ୍ନୀ ପରିଣୀତି ଚୋପ୍ରା । ପରିଣୀତିଙ୍କ ସହିତ ରାଘବଙ୍କ ବିବାହ ଏହି ରାଜନୈତିକ କଳିର ମୂଳ କାରଣ ବୋଲି କହିଛନ୍ତି ହରିୟାଣାର ପୂର୍ବତନ ଆପ୍ ରାଜ୍ୟ ସଭାପତି ନବୀନ ଜୟହିନ୍ଦ । ପରିଣୀତିଙ୍କ ସହିତ ବିବାହ ପ୍ରସ୍ତାବକୁ ଭାଙ୍ଗିବାକୁ ରାଘବଙ୍କ ଉପରେ ଚାପ ପକାଇଯାଇଥିବା କହିଛନ୍ତି ନବୀନ ।
ଆପ୍ ଦଳ ରାଘବଙ୍କ ସହିତ ପରିଣୀତିଙ୍କ ବିବାହର ଶ୍ରେୟ ନେବାକୁ ଚେଷ୍ଟା କରିଛି । ଆପର ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି ଯେ ରାଘବ ଚଢ଼ାଙ୍କ ବିବାହ ପରିଣୀତିଙ୍କ ସହିତ ଏଥିପାଇଁ ହୋଇଥିଲା କାରଣ ସେ ଜଣେ ବିଧାୟକ, ସାଂସଦ ଏବଂ ପଞ୍ଜାବ ସୁପର୍ ସିଏମ୍ ଥିଲେ । କିନ୍ତୁ ଏହା ପ୍ରକୃତ କାରଣ ନୁହେଁ ବରଂ ରାଘବ ପରିଣୀତିଙ୍କୁ ବିବାହ କରିବାକୁ ଚାହୁଁଥିବାରୁ ସେଥିପାଇଁ ବିଧାୟକ, ସାଂସଦ ଏବଂ ପଞ୍ଜାବର ସୁପର ସିଏମ୍ କରାଯାଇଥିଲା ।
ସୌରଭଙ୍କ ଏହି ବିବାଦୀୟ ବୟାନର କଡ଼ା ଜବାବ ଦେଇଛନ୍ତି ପୂର୍ବତନ ଆପ୍ ନେତା ନବୀନ ଜୟହିନ୍ଦ । ନବୀନ ଏକ ଭିଡ଼ିଓ ଜରିଆରେ ଆପକୁ ନିଶାଣ କରିଛନ୍ତି । ନବୀନ କହିଛନ୍ତି ଯେ ଯେତେବେଳେ ପରିଣୀତିଙ୍କ ସହିତ ରାଘବଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା ସେବେଠାରୁ ଆପ୍ ସହିତ ତାଙ୍କର ଝଗଡ଼ା ଆରମ୍ଭ ହୋଇଥିଲା । ପରିଣୀତିଙ୍କ ସହିତ ବିବାହ ଭାଙ୍ଗି ଦେବାକୁ ରାଘବଙ୍କ ଉପରେ ଚାପ ପକାଯାଇଥିଲା । ଏମିତିକି ବିବାହ ପରେ ତାଙ୍କଠାରୁ ଛାଡ଼ପତ୍ର ନେବାକୁ କୁହାଯାଇଥିଲା ।
ରାଘବଙ୍କ ଗାମୁଛା ଧରି ବୁଲୁଥିଲେ ସୌରଭ । ସେହିପରି ଅଧା ଅଧୁରା କଥା ନ କହି ସମ୍ପୂର୍ଣ୍ଣ ସତ କହିବାକୁ ସୌରଭଙ୍କୁ କହିଛନ୍ତି ନବୀନ । ପରିଣୀତିଙ୍କ ସହିତ ବିବାହ ପାଇଁ କେଉଁମାନେ ଅମଙ୍ଗ ଥିଲେ ଏବଂ ଆଉ କାହା ସହିତ ବିବାହ କରିବାକୁ ଚାହୁଁଥିଲେ ସବୁ ସତ କହିବାକୁ କହିଛନ୍ତି ନବୀନ ।
ଖାଲି ସେତିକି ନୁହେଁ ନବୀନ ଏହା ମଧ୍ୟ କହିଛନ୍ତି ଯେ ରାଘବ ବାରମ୍ବାର ଦଳ ଛାଡ଼ିବାର ବିଭିନ୍ନ କାରଣ କହୁଛନ୍ତି । କିନ୍ତୁ ଏବେ ପ୍ରକୃତ କାରଣ କହିବାର ସମୟ ଆସିଛି, ତେଣୁ କାହାକୁ ନ ଡରି ସବୁ ସତ କଥା କହିଦେବାକୁ ରାଘବଙ୍କୁ ଆହ୍ୱାନ କରିଛନ୍ତି ନବୀନ ।
ତେବେ ଆପ୍ ଦଳର କେଉଁ ନେତା ରାଘବ ଏବଂ ପରିଣୀତିଙ୍କ ବିବାହ ଚାହୁଁନଥିଲେ ତାହା ଭିଡ଼ିଓରେ ସ୍ପଷ୍ଟ କରିନାହାଁନ୍ତି ନବୀନ ।