ପାଟନା: ବିହାରର ସମସ୍ତ ସରକାରୀ କାର୍ଯ୍ୟକ୍ରମ ଏବଂ ଶିକ୍ଷାନୁଷ୍ଠାନରେ ଜାତୀୟ ଗୀତ, ଜାତୀୟ ସଙ୍ଗୀତ ଏବଂ ବିହାର ରାଜ୍ୟ ଗୀତ ଗାନ ବାଧ୍ୟତାମୂଳକ ହେବ। ସାଧାରଣ ପ୍ରଶାସନ ବିଭାଗ ଏ ସମ୍ପର୍କରେ ସମସ୍ତ ବିଭାଗ ଏବଂ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଜାରି କରିଛି।
ସାଧାରଣ ପ୍ରଶାସନ ବିଭାଗ ସଚିବ ମହମ୍ମଦ ସୋହେଲଙ୍କ ଦ୍ୱାରା ଜାରି ଆଦେଶ ଅନୁଯାୟୀ, ସରକାରୀ କାର୍ଯ୍ୟକ୍ରମ ଜାତୀୟ ଗୀତ ଗାନ ସହିତ ଆରମ୍ଭ ହେବ। ଜାତୀୟ ଗୀତ ପରେ ଜାତୀୟ ସଙ୍ଗୀତ ଗାନ କରାଯିବ। ଏହା ପରେ ହିଁ ଯେକୌଣସି ସରକାରୀ କାର୍ଯ୍ୟକ୍ରମ ପରିଚାଳିତ ହେବ। କାର୍ଯ୍ୟକ୍ରମ ବିହାର ରାଜ୍ୟ ଗୀତ-ମେରେ ଭାରତ କେ କଣ୍ଠହାର ଗାନ ସହିତ ଶେଷ ହେବ।
ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ କୌଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଜାତୀୟ ଗୀତ ଗାନ କରାଯିବ, ତା’ପରେ ଜାତୀୟ ସଙ୍ଗୀତ ଗାନ କରାଯିବ। ଏହା ଶିକ୍ଷାନୁଷ୍ଠାନରେ ଶ୍ରେଣୀ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଗାନ କରାଯିବ କି କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମରେ ସୀମିତ ରହିବ ତାହା ସ୍ପଷ୍ଟ କରାଯାଇ ନାହିଁ।
ସରକାର କହିଛନ୍ତି ଯେ ଏହାର ଉଦ୍ଦେଶ୍ୟ ଲୋକଙ୍କ ମଧ୍ୟରେ ଜାତୀୟତା, ପରିଚୟ ଏବଂ ଗର୍ବର ଭାବନାକୁ ପ୍ରୋତ୍ସାହିତ କରିବା। ବିହାରର ଗୌରବମୟ ଇତିହାସକୁ ଚିହ୍ନିତ କରିବା ପାଇଁ ବିହାର ରାଜ୍ୟ ଗୀତ ଗାନକୁ ବାଧ୍ୟତାମୂଳକ କରାଯାଇଛି।
ଅଧିକ ପଢ଼ନ୍ତୁ: ଇଣ୍ଡୋନେସିଆରେ ଦୁଇଟି ଟ୍ରେନ୍ ମଧ୍ୟରେ ଧକ୍କା: ସାତ ଜଣ ଯାତ୍ରୀଙ୍କ ମୃତ୍ୟୁ