ନୂଆଦିଲ୍ଲୀ: ଆଜି ପଶ୍ଚିମବଙ୍ଗ ଅନ୍ତିମ ପର୍ୟ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଆଉ ଏହି ନିର୍ବାଚନରେ ପଶ୍ଚିମବଙ୍ଗରେ ପ୍ରବଳ ମାତ୍ରା ଆର୍ଥିକ କାରବାର ସାମ୍ନାକୁ ଆସିଛି । ଖାଲି ସେତିକି ମଦଠୁ ଆରମ୍ଭ କରି ମୂଲ୍ୟବାନ ଜିନିଷ ଦିଆନିଆ ହୋଇଛି । ନିର୍ବାଚନ ସମୟରେ ରାଜ୍ୟରୁ ୫୧୦ କୋଟି ଟଙ୍କା ଜବତ କରାଯାଇଛି ସୂଚନା ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ ।
ଏପ୍ରିଲ ୨୭ (ଆଜି) ସୁଦ୍ଧା ପଶ୍ଚିମବଙ୍ଗରୁ ୫୧୦ କୋଟି ଟଙ୍କା ଜବତ କରାଯାଇଛି । ୨୦୨୧ ସାଧାରଣ ନିର୍ବାଚନରେ ଜବତ ହୋଇଥିବା ଟଙ୍କାଠାରୁ ଏହା ଦେଢ଼ ଗୁଣା ଅଧିକ । ୨୦୨୧ରେ ୩୩୯ କୋଟି ଟଙ୍କା ଜବତ ହୋଇଥିଲା । ପଶ୍ଚିମବଙ୍ଗରେ ୩୦ କୋଟି ନଗଦ ଟଙ୍କା ଜବତ ହୋଇଛି । ସେହିପରି ୪୮ ଲକ୍ଷ ୪୬ ହଜାର ୧୮୩ ଲିଟର୍ ଅର୍ଥାତ୍ ୧୨୬ କୋଟି ୮୫ ଲକ୍ଷ ଟଙ୍କାର ମଦ ଜବତ ହୋଇଛି । ୧୧୦ କୋଟି ୧୨ ଲକ୍ଷ ଟଙ୍କାର ନିଶା ଦ୍ରବ୍ୟ, ୫୮ କୋଟି ୨୮ ଲକ୍ଷ ମୂଲ୍ୟର ମୂଲ୍ୟବାନ ଧାତୁ ଏବଂ ୧୮୪ କୋଟି ୮୫ ଲକ୍ଷ ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।
ନିର୍ବାଚନ ଆୟୋଗ କହିଛନ୍ତି , ବର୍ତ୍ତମାନ ଦେଶର ୫ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଯଥା ଆସାମ, ପଶ୍ଚିମବଙ୍ଗ, ତାମିଲନାଡ଼ୁ, କେରଳ ଏବଂ ପୁଡ଼ୁଚେରୀରେ ନିର୍ବାଚନ ଜାରି ରହିଛି । ହିଂସା ମୁକ୍ତ, ଭୟ ମୁକ୍ତ ଏବଂ ପ୍ରଲୋଭନ ମୁକ୍ତ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି । ଏଥିପାଇଁ ୨, ୭୨୮ ଟି ପ୍ଲାଇଁ ସ୍କ୍ୱାଡ୍ ଟିମ୍ ଏବଂ ୩,୧୪୨ଟି ଷ୍ଟାଟିକ୍ ସର୍ଭିଲାନ୍ସ ଟିମ୍ ମୁତୟନ କରାଯାଇଛି । ମଦ କାରଖାନା, ଗୋଦାମ ଏବଂ ବଣ୍ଟନ ଉପରେ ଚଢ଼ଉ କରାଯାଉଛି ।