ଦେବ୍ରିଗଡ଼ ଜଙ୍ଗଲରେ ରାତିର ଅନ୍ଧକାରକୁ ଚିରି ଚାଲିଥିଲା ଗୁପ୍ତ ଅଭିଯାନ। ସୂଚନା ମିଳିବାମାତ୍ରେ ଦେବ୍ରିଗଡ଼ ନାଇଟ୍ ପ୍ୟାଟ୍ରୋଲ୍ ସ୍କ୍ୱାଡ୍ ଲବଣୀତିକ୍ରା ଗାଁ ପାହାଡ଼ ତଳେ ଚଢ଼ାଉ କରି ଦୁଇ ଶିକାରିଙ୍କୁ ଧରିଛନ୍ତି। ଗିରଫ ଶିକାରୀ ୨ ଜଣ ହେଉଛନ୍ତି ୪୦ ବର୍ଷୀୟ ସୁରେନ୍ଦ୍ର ଖଡିଆ ଓ ୩୦ ବର୍ଷୀୟା ରଶ୍ମି ଖଡିଆ, ଯେଉଁମାନେ ଜଙ୍ଗଲର ପ୍ରାଣୀକୁ ଶିକାର କରିବାରେ ଲିପ୍ତ ଥିଲେ।
ମୟୂର ମାଂସ, ଅନେକ ଫାଶ, ଶିକାର ପାଇଁ ବ୍ୟବହୃତ ମାଟି ବଲ, ଫାଶ, କୁରାଢ଼ି ଏବଂ ଛୁରୀ ତାଙ୍କ ଘରୁ ଚଢାଉ ସମୟରେ ଜବତ କରାଯାଇଥିଲା। ଏକ ସିନ୍ଥେଟିକ୍ ତାରର ଫାନ୍ଦ ମୟୂର ଘୋଷା ପାଖରେ ପତ୍ରାଇ ରଖାଯାଇଥିବା ଦେଖି ଅଧିକାରୀମାନେ ଚକିତ ହୋଇଥିଲେ।
ପ୍ରାରମ୍ଭିକ ଖୁଲାସାରୁ ଜଣାପଡିଛି, ଜଙ୍ଗଲରୁ ଜଳାଣୀ କଠ ଆଣିବା ବେଳେ ସେମାନେ ମୟୂର ଘୋଷା ଦେଖିଥିଲେ। ପରେ ମାଂସ ପାଇଁ ଓ ପାଖ ବିକ୍ରି କରିବା ଲୋଭରେ ଏହି ଯୋଜନା କରିଥିଲେ।
ଜଙ୍ଗଲରେ ଗ୍ରୀଷ୍ମକାଳ ହେଉଛି ମୟୂରଙ୍କ ପ୍ରଜନନ ସମୟ। ଏମିତି ସମୟରେ ଏହି ଘଟଣା ଜଙ୍ଗଲ ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି। ଧରାପଡ଼ିଥିବା ଅଭିଯୁକ୍ତଙ୍କୁ କୋର୍ଟରେ ପ୍ରସ୍ତୁତ କରାଯାଇଛି ଓ ତଦନ୍ତ ଜାରି ରହିଛି।