ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଅଞ୍ଚଳରୁ ଆସିଛି ଏକ ହୃଦୟବିଦାରକ ଘଟଣା। ବଡଝାଡା ପଞ୍ଚାୟତର ଗୋବରଧୂଳି ଖଳା ପୋଖରୀରେ ଗାଧେଇବାକୁ ଯାଇ ଜଣେ ଯୁବକ ପାଣିରେ ବୁଡି ପ୍ରାଣ ହରାଇଛନ୍ତି। ମୃତକ ହେଉଛନ୍ତି ଗୋଲଖ ପାହାନଙ୍କ ପୁଅ ବାଦଲ ପାହାନ।
ସୂଚନା ଅନୁସାରେ, ଆଜି (ସୋମବାର) ସକାଳେ ବାଦଲ ପୋଖରୀକୁ ଗାଧେଇବା ପାଇଁ ଯାଇଥିଲେ, କିନ୍ତୁ ଦୀର୍ଘ ସମୟ ଧରି ଘରକୁ ଫେରିନଥିବାରୁ ପରିବାର ଓ ଗ୍ରାମବାସୀ ଖୋଜାଖୋଜି ଆରମ୍ଭ କରି ପୋଖରୀରେ ବୁଡ଼ିଯାଇଥିବା ସନ୍ଦେହ କରିଥିଲେ।
ଖବର ପାଇଁ ପୋଲିସ ଓ ଅଗ୍ନିଶମ ବିଭାଗ ମଧ୍ୟ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଦୀର୍ଘ ସମୟର ଖୋଜାଖୋଜି ପରେ ଅଗ୍ନିଶମ କର୍ମଚାରୀମାନେ ବାଦଲଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ।ଏହି ଦୁର୍ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।