ମୁମ୍ବାଇ: ପହଲଗାମ ଆକ୍ରମଣକୁ ବର୍ଷେ ବିତିଥିବାବେଳେ ପୁଣି ଥରେ ଧର୍ମ ନାମରେ ହୋଇଛି ଆକ୍ରମଣ । ମୁମ୍ବାଇରେ ଧର୍ମ ପଚାରି ଦୁଇ ଜଣ ସୁରକ୍ଷାକର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ପୋଲିସ ମୁମ୍ବାଇର ଜୈଦ ଜୁବେର ଅନସାରୀ (୩୧) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଆତଙ୍କବାଦୀ ନିରୋଧୀ ଦଳ (ଏଟିଏସ୍) ଏହାର ତଦନ୍ତ ଆରମ୍ଭ କରିଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବକ, ରାଜକୁମାର ମିଶ୍ର ଏବଂ ସୁବ୍ରୋତୋ ସେନ ୱାକହର୍ଦ ହସ୍ପିଟାଲ ନିକଟରେ ଏକ ନିର୍ମାଣଧୀନ କୋଠାର ସୁରକ୍ଷାରେ ନିୟୋଜିତ ହୋଇଥିଲେ । ଏହା ସମସୟରେ ଜୈଦ ଅନସାରୀ ପ୍ରଥମେ ଉଭୟଙ୍କର ଧର୍ମ ପଚାରିଥିଲା । ପରେ କଲମା ପାଠ କରିବାକୁ କହିଥିଲା । ମାତ୍ର ସେମାନେ କଲମା ପଢ଼ି ନ ପାରିବାରୁ ଛୁରୀରେ ମରଣାନ୍ତକ ଆକ୍ରମଣ କରିଛି । ରାଜକୁମାର କୌଶଳ କ୍ରମେ ଖସି ପଳାଇ ଆସିଥିଲେ । ମାତ୍ର ସୁବ୍ରୋତୋ ସେଠାରେ ପଡ଼ିଯାଇଥିଲେ । ଅନ୍ୟ ଜଣେ କର୍ମଚାରୀ ନାୟବ ଶୈଖ କାମକୁ ଫେରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ଉଭୟଙ୍କ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ପୋଲିସ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତ ଅନସାରୀକୁ ଗିରଫ କରିଛି । ନୟା ନଗର ପୋଲିସ ତାକୁ ନିଜ ହେପାଜତକୁ ନେଇଛି । ଥାନେ କୋର୍ଟରେ ହାଜର କରାଯିବା ପରେ ମେ 4 ତାରିଖ ଯାଏ ପୋଲିସ ତାକୁ ନିଜ ହେପାଜତକୁ ନେଇଛି ।
ସେପଟେ ଏଟିଏସ୍ ଏହି ମାମଲାରେ ପ୍ରବେଶ କରିଛି । ଅଭିଯୁକ୍ତ ଘର ତଲାସୀ ବେଳେ ମୋବାଇଲ, ବୈଦ୍ୟୁତିକ ଉପକରଣ ଏବଂ କିଛିଟା ହାତଲେଖା ନୋଟ୍ ଜବତ କରିଛି । ଅନସାରୀଙ୍କ ଦ୍ୱାରା ଲିଖିତ ନୋଟରେ ଆତଙ୍କୀ ସଙ୍ଗଠନ ଆଇଏସ୍ଆଇଏସ୍, 'ଲୋନ୍ ୱୁଲ୍ଫ', 'ଜିହାଦ' ଏବଂ 'ଗାଜା' ଭଳି ଶବ୍ଦ ଲେଖାଯାଇଥିବା ସୂତ୍ରରୁ ପ୍ରକାଶ ପାଇଛି । କୌଣସି ଗୁଜବରେ ନ ବିଶ୍ୱାସ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଯେଉଁମାନେ ଗୁଜବ ପ୍ରଚାର କରିବେ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଜୈଦ ଜୁବୈର ଅନସାରୀ ମୁମ୍ବାଇର କୁର୍ଲା ଅଞ୍ଚଳର ମୂଳ ବାସିନ୍ଦା । ସେ ବିଜ୍ଞାନରେ ସ୍ନାତକ ହାସଲ କରିବା ପରେ ୨୦୧୦ ରୁ ୨୦୧୯ ପର୍ଯ୍ୟନ୍ତ ଆମେରିକାରେ ରହିଥିଲା। ଆମେରିକାରେ ଚାକିରି ପାଇବାରେ ବିଫଳ ହେବା ପରେ, ସେ ୨୦୧୯ ରେ ଭାରତ ଫେରି ଆସିଥିଲା ଏବଂ ମୀରା ରୋଡରେ ଏକା ରହୁଥିଲେ।
ସେଠାରେ ସେ ଅନଲାଇନରେ ରସାୟନ ବିଜ୍ଞାନ ବା କେମିଷ୍ଟ୍ରି ପଢ଼ାଉଥିଲା । ଏକାକୀ ରହୁଥିବାବେଳେ ସେ ଇଣ୍ଟରନେଟ୍ ମାଧ୍ୟମରେ ମୌଳବାଦୀ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇଥିବା ଅନୁମାନ କରାଯାଉଛି ।