ପୁରୀ ଜିଲ୍ଲାର ଗୋପ ଅଞ୍ଚଳରେ ଅବସ୍ଥିତ ପ୍ରାଚୀନ ଐତିହ୍ୟବାହୀ ମା’ ଦଶମଲ୍ଲୀ ମନ୍ଦିର ପୁଣିଥରେ ଦୁର୍ବୃତ୍ତଙ୍କ ଟାର୍ଗେଟ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଅଣ୍ଡରା-ଇଚ୍ଛାପୁର ପଞ୍ଚାୟତର ତରଡାପଡା ଗ୍ରାମ ସନ୍ନିକଟ କୁଶଭଦ୍ରା ନଦୀ ପଠାରେ ଥିବା ଏହି ପ୍ରସିଦ୍ଧ ଦେବୀପୀଠର ତାଲା ଭାଙ୍ଗି ଚୋରମାନେ ମା’ଙ୍କ ମୁକୁଟ ଓ ସୁନାର ଆଖି ସହ ବହୁମୂଲ୍ୟ ଅଳଙ୍କାର ଲୁଟିନେଇଛନ୍ତି।
ବୁଧବାର ସକାଳେ ପୂଜା ପାଇଁ ଆସିଥିବା ପୂଜକ ମନ୍ଦିରର ଭାଙ୍ଗିଥିବା ତାଲା ଦେଖି ଅଚମ୍ବିତ ହୋଇଥିଲେ। ତତ୍କ୍ଷଣାତ୍ ଗୋପ ଥାନାରେ ଏନେଇ ଅଭିଯୋଗ ଦାଖଲ ହେବା ପରେ ପୁଲିସ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ପୁରୀରୁ ସାଇଣ୍ଟିଫିକ୍ ଟିମ୍ ଆସି ଘଟଣାସ୍ଥଳରେ ପ୍ରମାଣ ସଂଗ୍ରହ କରିଛନ୍ତି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, କିଛି ମାସ ପୂର୍ବରୁ ମଧ୍ୟ ଏହି ମନ୍ଦିରରୁ ଅଳଙ୍କାର ଚୋରି ହୋଇଥିଲା, କିନ୍ତୁ ଅଭିଯୁକ୍ତମାନେ ଏପର୍ଯ୍ୟନ୍ତ ଧରାପଡ଼ିନଥିଲେ। ପୁନର୍ବାର ଏହି ଘଟଣା ଘଟିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ପୁଲିସ କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନ ଉଠିଛି।
ଗୋପ ଥାନା ଭାରପ୍ରାପ୍ତ ଅଧିକାରୀ ଦୁର୍ଗା ପ୍ରସାଦ ମହାପାତ୍ର କହିଛନ୍ତି, ମାମଲା ରୁଜୁ କରାଯାଇଛି ଏବଂ ଚୋରମାନଙ୍କୁ ଶୀଘ୍ର ଧରିବା ପାଇଁ ତଦନ୍ତକୁ ଜୋରଦାର କରାଯାଇଛି। ଏହି ପୁନରାବୃତ୍ତ ଚୋରି ଘଟଣା ଏବେ ଗୋପ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି।