ବ୍ରହ୍ମପୁର: ଗଞ୍ଜାମର ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ବଡ଼ ଖୁଲାସା ସାମ୍ନାକୁ ଆସିଛି। ଦୀର୍ଘଦିନ ଧରି ସୁଧୀରଙ୍କ ମୃତ୍ୟୁ ନେଇ ଯେ ସନ୍ଦେହ ଓ ଅନୁମାନ ଚାଲିଥିଲା, ସେଥିରେ ଏବେ ପରଦା ପଡ଼ିଛି। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ପୋଷ୍ଟମର୍ଟମ ରିପୋର୍ଟ ଏହି ହତ୍ୟାକାଣ୍ଡର ନିର୍ମମତାକୁ ସ୍ପଷ୍ଟ କରିଦେଇଛି।
ଏଫେମିଟି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସୁଦୀପା ଦାଶଙ୍କ କହିବା ଅନୁଯାୟୀ, ସୁଧୀରଙ୍କୁ ଅତ୍ୟନ୍ତ ନିର୍ମମ ଭାବରେ ପିଟିପିଟି ହତ୍ୟା କରାଯାଇଛି। ତାଙ୍କ ଶରୀରର ବିଭିନ୍ନ ଅଂଶରେ ଗଭୀର ଆଘାତ ଚିହ୍ନ ମିଳିଛି। ବିଶେଷକରି ମୁଣ୍ଡ ଓ ଛାତିରେ ଭୟଙ୍କର ମାଡ଼ ହୋଇଥିଲା, ଯାହାର ପ୍ରଭାବରେ ଛାତିର ପିଞ୍ଜରା ହାଡ଼ ଭାଙ୍ଗିଯାଇଥିଲା। ଏହି ଆକ୍ରମଣ ଫଳରେ ସେ ଶ୍ୱାସରୁଦ୍ଧ ହେବା ସହ ଭୟ ଓ ମାନସିକ ଆଘାତରେ ଜୀବନ ହାରିଥିବା ରିପୋର୍ଟରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତ ୧୫ ତାରିଖ ରାତିରେ ସୁଧୀରଙ୍କୁ ଅପହରଣ କରାଯାଇଥିଲା। ଅପହରଣକାରୀମାନେ ଟଙ୍କା ଦାବି କରି ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ ଏବଂ ନିର୍ଘାତ ମାଡ଼ ମାରିଥିଲେ। ଏପର୍ଯ୍ୟନ୍ତ ଯାଇ, ମାଡ଼ ମାରୁଥିବା ଭିଡିଓକୁ ସୁଧୀରଙ୍କ ସ୍ତ୍ରୀଙ୍କୁ ପଠାଇ ମୋଟା ଅଙ୍କର ଟଙ୍କା ଦାବି କରିଥିଲେ, ଯାହା ଘଟଣାକୁ ଆହୁରି ଭୟାବହ କରିଦେଇଛି।କିନ୍ତୁ ପରିବାର ଲୋକେ ଟଙ୍କା ନେଇ ପହଞ୍ଚିବା ପୂର୍ବରୁ ହିଁ ଅପରାଧୀମାନେ ସୁଧୀରଙ୍କୁ ହତ୍ୟା କରି ସୋରଡ଼ା ନିକଟସ୍ଥ ଜଙ୍ଗଲରେ ଶବକୁ ଫିଙ୍ଗି ଦେଇଥିଲେ।
ନିଖୋଜ ହେବାର ସାତ ଦିନ ପରେ, ଅର୍ଥାତ ୨୨ ତାରିଖରେ ତାଙ୍କର ଗଳିତ ଶବ ଉଦ୍ଧାର ହୋଇଥିଲା। ପୋଷ୍ଟମର୍ଟମ ରିପୋର୍ଟ ପରେ ଏହି ହତ୍ୟାକାଣ୍ଡର ନିର୍ମମ ଚିତ୍ର ସ୍ପଷ୍ଟ ହୋଇଯାଇଛି।
ଅନ୍ୟପଟେ ଏହି ହତ୍ୟା ମାମଲାରେ ପୁଣି ଥରେ ଦୁଇ ପୁରୁଣା ଅଭିଯୁକ୍ତଙ୍କ ସହ ଭାଇ-ଭଉଣୀଙ୍କୁ ରିମାଣ୍ଡରେ ନେଇପାରେ ପୋଲିସ। ଏହି ମାମଲାର ଗିରଫ ୯ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ କାଳୁ ପ୍ରଧାନ, ସୂର୍ଯ୍ୟ ପ୍ରତାପ ସିଂଙ୍କ ସମେତ ସୁଧୀରଙ୍କ ଝିଆରୀ ନିବେଦିତା ପାତ୍ର ଓ ପୁତୁରା ତୁଷାରଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବା ପାଇଁ ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ଗ୍ରାମୀଣ କୋର୍ଟରେ ଆବେଦନ କରିଛି ପୋଲିସ।
ଅଧିକ ପଢନ୍ତୁ: ରକ୍ତ ସମ୍ପର୍କରେ ବିଶ୍ୱାସଘାତକ; ସୁଧୀର ପାତ୍ର ହତ୍ୟାର ଅସଲ କାହାଣୀ; ମେନ୍ ଭିଲେନ୍ ଝିଆରୀ, କ୍ରାଇମ୍ ପାର୍ଟନର୍ ଥିଲା ବୟଫ୍ରେଣ୍ଡ