ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବନହରପାଳି ଥାନା ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ । ଚୋରି ସନ୍ଦେହରେ ଜଣେ ନାବାଳକ ସମେତ ଦୁଇ ଜଣଙ୍କୁ ଦିଆଯାଇଛି ଥାର୍ଡ ଡିଗ୍ରୀ । ପୋଲିସ ନାବାଳକକୁ ଅଟକାଇ ଅମାନବୀୟ ଭାବରେ ଭାବରେ ମାଡ଼ ମାରିଥିବା ନେଇ ପରିବାର ଥାନାରେ ଅଭିଯୋଗ କରିଛି ।
ସୂଚନା ଅନୁଯାୟୀ, ସୋମବାର ରାତିରେ ବନହରପାଳି ଥାନା ଅଧିକାରୀ ଓ ତାଙ୍କ ଟିମ୍ ପୋଲିସ ଗାଡ଼ିରେ ଯାଇ ଚୋରି ସନ୍ଦେହରେ ଦୁଇ ଜଣଙ୍କୁ ଉଠାଇ ଆଣିଥିଲେ। ପରେ ସେମାନଙ୍କୁ ନିକଟସ୍ଥ ଜଙ୍ଗଲକୁ ନେଇ ନିର୍ମମ ଭାବରେ ମାଡ଼ ମାରିଥିଲେ । ମାଡ଼ରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ପରେ ପୋଲିସ ସେମାନଙ୍କୁ ନିକଟସ୍ଥ ଓପିଜିସି ଚିକିତ୍ସାଳୟକୁ ନେଇ ପ୍ରାଥମିକ ଚିକିତ୍ସା କରାଇ ରାତି ପ୍ରାୟ ୩ଟା ସମୟରେ ଘରକୁ ପଠାଇ ଦେଇଥିଲା ।
ଏ ନେଇ ପରିବାର ପକ୍ଷରୁ ମଙ୍ଗଳବାର ରାତିରେ ଝାରସୁଗୁଡ଼ା ଏସପିଙ୍କ ନିକଟରେ ଫେରାଦ ଦେଇଛନ୍ତି । ନ୍ୟାୟ ଦେବାକୁ ଦାବି କରିଥିଲେ । ତ୍ୱରିତ ପଦକ୍ଷେପ ସ୍ୱରୂପ ଅତିରିକ୍ତ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ଜଣ ପୀଡ଼ିତଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଏନେଇ ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପ୍ରଧାନଙ୍କୁ ଯୋଗାଯୋଗ କରାଯିବାରୁ ସେ ଏ ବାବଦରେ କିଛି ଅବଗତ ନ ଥିବା କହିଛନ୍ତି ।