ଭୁବନେଶ୍ୱର ; ତତଲା କଡେଇରେ ସିଜୁଛି ଓଡିଶା। ଗୁଳୁଗୁଳି ସାଙ୍ଗକୁ ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ। ମେ’ ମାସର ଆରମ୍ଭ ନ ହେଉଣୁ ସୂର୍ଯ୍ୟ ତାଙ୍କର ରୁଦ୍ର ରୂପ ଦେଖାଉଛନ୍ତି। ଯେମିତି ଅନୁଭୂତ ହେଉଛି ମେ' ମାସର ଆରମ୍ଭରୁ ତାପମାତ୍ରା ୪୮ ଡିଗ୍ରୀ ଟପିଯିବ। ଦିନବେଳେ ଘରୁ ବାହାରିବା ମାନେ ଅଗ୍ନିପରୀକ୍ଷା। ଝାଞ୍ଜି ପବନ ଓ ତୀବ୍ର ଖରା ଲୋକଙ୍କୁ ଅସହାୟ କରୁଥିବା ବେଳେ ଅଂଶୁଘାତର ଆଶଙ୍କା ବଢ଼ିଛି।ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସମେତ ଝାରସୁଗୁଡା, ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ତାପମାତ୍ରା ରେକର୍ଡ ଛୁଇଁଛି।
ତେବେ ବଢୁଥିବା ତାତିରେ ରାସ୍ତା ଘାଟ ଶୂନ୍ୟ ପଡ଼ିଥିବା ବେଳେ, ଥଣ୍ଡା ପାଣି ଓ ଛାୟା ପାଇଁ ଲୋକମାନେ ଆଉଟୁପାଉଟୁ ହେଉଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଅଂଶୁଘାତର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ଏହାସହିତ ରାସ୍ତାର ପ୍ରତ୍ୟେକଟି ଛକରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି। ଏତିକି ଦିନରେ ଶ୍ରମିକ ମାନଙ୍କୁ କାମ କରିବା ପାଇଁ ମଧ୍ୟ ବାରଣ କରାଯାଇଛି। ଏହାସହିତ ଅତ୍ୟାବଶ୍ୟକ ନହେଲେ ଘରୁ ବାହାରନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗର ସତର୍କତା ଜାରି କରିଛି।