ଓଡ଼ିଶାର ବିକାଶ ମାନଚିତ୍ରରେ ଆଉ ଏକ ଯୋଡ଼ିହେଲା ଆଉ ଏକ ନୂଆ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାର ଉଚ୍ଛବାଲିରେ ଏକ ବଡ଼ ବିଦ୍ୟୁତ୍ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ମଧୁସୂଦନ ଦାସଙ୍କ ଜନ୍ମଜୟନ୍ତୀ ଅବସରରେ ୪୦୦/୨୨୦ କେଭି ଗ୍ରିଡ୍ ସବସ୍ଟେସନ୍ ବଡ଼ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର କରିଛନ୍ତି।
୧୬୪୭ କୋଟି ଟଙ୍କାର ଏହି ପ୍ରକଳ୍ପ କେନ୍ଦୁଝରକୁ ଏକ ଶକ୍ତିଶାଳୀ ଶିଳ୍ପ ହବ୍ରେ ପରିଣତ କରିବାର ଲକ୍ଷ୍ୟ ରଖିଛି। ଏହା ଦ୍ୱାରା କେନ୍ଦୁଝର ସଦର, ତେଲକୋଇ, ଝୁମ୍ପୁରା, ଜୋଡା ଓ ବାର୍ବିଲ ଅଞ୍ଚଳର ୭ ଲକ୍ଷରୁ ଅଧିକ ଗ୍ରାହକ ନିରବିଛିନ୍ନ ବିଦ୍ୟୁତ୍ ସେବା ପାଇପାରିବେ। ଏହି ସହିତ ୫ଟି ନୂଆ ଟ୍ରାନ୍ସମିସନ୍ ଲାଇନ୍ ମଧ୍ୟ ଆରମ୍ଭ ହୋଇଛି, ଯାହା ଶିଳ୍ପ ଓ ଘରୋଇ ଚାହିଦାକୁ ସମତୁଳିତ କରିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦୁଝରକୁ “ପୂର୍ବ ଭାରତର ଦ୍ୱିତୀୟ ଜମ୍ଶେଦପୁର” କରାଯିବ। ଏଠାରେ ଶିଳ୍ପ ବିକାଶ ପାଇଁ ମଧ୍ୟ ବଡ଼ ଯୋଜନା ରହିଛି। ଆଧୁନିକ ସୁବିଧା ଭଳି ହଟ୍ଲାଇନ୍ ମେଣ୍ଟେନାନ୍ସ (ବିଦ୍ୟୁତ୍ ବନ୍ଦ ନକରି ମରାମତି) ଓ ଡିଜିଟାଲ ମନିଟରିଂ ବ୍ୟବସ୍ଥା ଏହି ପ୍ରକଳ୍ପର ମୁଖ୍ୟ ଆକର୍ଷଣ। ସେହିପରି ୨୦୩୬ ସୁଦ୍ଧା ଓଡ଼ିଶାରେ ୩୪ଟି ନୂଆ ଗ୍ରିଡ୍ ସବସ୍ଟେସନ୍ ତିଆରି କରାଯିବ, ଯାହାରେ ଭୁବନେଶ୍ୱର, ଯାଜପୁର, ଝାରସୁଗୁଡ଼ା ଓ ଗଜପତିରେ ୭୬୫ କେଭି ଗ୍ରିଡ୍ ରହିବ। ଏହାସହ ଜାପାନୀ କମ୍ପାନୀ JFE Steel ସହ ଏକ ମେଗା ଇସ୍ପାତ କାରଖାନା ଯୋଜନା ମଧ୍ୟ ରହିଛି, ଯାହା ଆଗାମୀ ୨୦ ବର୍ଷ ପାଇଁ ଶିଳ୍ପ ଆବଶ୍ୟକତା ପୂରଣ କରିବ'।
ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ କହିଛନ୍ତି, ଏହି ପ୍ରକଳ୍ପ ଦ୍ୱାରା ସୁନ୍ଦରଗଡ଼, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାକୁ ମଧ୍ୟ ବିଦ୍ୟୁତ୍ ସେବା ବିସ୍ତାର ହେବ ଏବଂ ୨୦୨୮ ସୁଦ୍ଧା ଦୁର୍ଗମ ଅଞ୍ଚଳକୁ ବିଦ୍ୟୁତ୍ ପହଞ୍ଚିବ। କେନ୍ଦୁଝରରେ ଆରମ୍ଭ ହେଉଥିବା ଏହି ବିଶାଳ ପ୍ରକଳ୍ପ ଓଡ଼ିଶାର ଶିଳ୍ପ ଓ ବିଦ୍ୟୁତ୍ ଭବିଷ୍ୟତକୁ ଆହୁରି ଶକ୍ତିଶାଳୀ କରିବ। ଏହି ପ୍ରକଳ୍ପ ଦ୍ୱାରା କେନ୍ଦୁଝର ଜିଲ୍ଲା ଓ ଏହାର ପାଖପାଖି ଅଞ୍ଚଳରେ ବିଦ୍ୟୁତ୍ ଓ ଶିଳ୍ପ ବିକାଶ ମଧ୍ୟ ବଢ଼ିବ।