ନୂଆଦିଲ୍ଲୀ: କିର୍ଗିସ୍ତାନରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ପଡ଼ୋଶୀ ପାକିସ୍ତାନ ଏବଂ ଚୀନ ଉପରେ ବର୍ଷିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କୌଣସି ବି ପରିସ୍ଥିତି ଅନୁପ୍ରବେଶକାରୀ ଆତଙ୍କବାଦୀଙ୍କୁ ବରଦାସ୍ତ କରାଯିବ ନାହିଁ । ଏଥିରେ କୌଣସି ଦୋମୁହାଁ ନୀତିକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଏସସିଓ ବୈଠକରେ କହିଛନ୍ତି ରାଜନାଥ ।
କିର୍ଗିସ୍ତାନରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଭାରତ, ପାକିସ୍ତାନ, ଚୀନ, ରୁଷ, କଜକିସ୍ତାନ, କିର୍ଗିସ୍ତାନ, ଉଜବୈକିସ୍ତାନ, ଇରାନ, ତାଜାକିସ୍ତାନ ଏବଂ ବୈଲରୁସ ଯୋଗ ଦେଇଛନ୍ତି । ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ପ୍ରତିନିଧିତ୍ୱ କରିଛି । କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ଉଭୟ ପାକିସ୍ତାନ ଏବଂ ଚୀନକୁ ଶୁଣାଇବାକୁ ଗୋଟିଏ ବି ସୁଯୋଗ ହାତ ଛଡ଼ା କରିନାହାଁନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଆତଙ୍କବାଦ ବିରୁଦ୍ଧରେ ଭାରତ ଆଭିମୁଖ୍ୟ ପୁଣି ଥରେ ବିଶ୍ୱ ମଞ୍ଚରେ ସ୍ପଷ୍ଟ କରି କହିଛନ୍ତି ଯେ ଆମେ କୌଣସି ରାଷ୍ଟ୍ରର ସାର୍ବଭୌମତ୍ୱ ଉପରେ ଆକ୍ରମଣ କରୁଥିବା ପ୍ରାୟୋଜିତ ସୀମାପାର ଆତଙ୍କବାଦକୁ ଅଣଦେଖା କରିବା ଉଚିତ୍ ନୁହେଁ। ଏଠାରେ ଦୋମୁହାଁ ନୀତିର କୌଣସି ସୁଯୋଗ ନାହିଁ ଏବଂ ଯେଉଁମାନେ ଆତଙ୍କବାଦୀଙ୍କୁ ଉସୁକାଉଛନ୍ତି ଏବଂ ଆଶ୍ରୟ ଦେଉଛନ୍ତି ସେମାନଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିବାରେ ଏସସିଓକୁ ପଛଘୁଞ୍ଚା ଦେବା ଉଚିତ୍ ନୁହେଁ।
ଆତଙ୍କବାଦର ମୁକାବିଲା ପାଇଁ ବିଶ୍ୱ ସ୍ତରରେ ସମନ୍ୱିତ ପ୍ରୟାସ ପାଇଁ ଭାରତ ପରାମର୍ଶ ଦେଇଛନ୍ତି । ରାଜନାଥ କହିଛନ୍ତି ଯେ ଆମେ ମୌଳବାଦ, ଉଗ୍ରବାଦ ଏବଂ ଆତଙ୍କବାଦର ବର୍ଦ୍ଧିତ ଚ୍ୟାଲେଞ୍ଜର ମଧ୍ୟ ସମ୍ମୁଖୀନ ହେଉଛୁ । ଆତଙ୍କବାଦ ବିକଶିତ ବିଶ୍ୱ ପାଇଁ ସବୁଠାରୁ ଗମ୍ଭୀର ବିପଦ ପାଲଟିଛି । ଏହି ପରିସ୍ଥିତିରେ, ଏସସିଓ ଆମର ସମାନ ମୂଲ୍ୟବୋଧ ଉପରେ ଆଧାରିତ ଏକ ସଂଗଠନ ଭାବରେ ଉଭା ହୋଇଛି। ଏସସିଓ ଆତଙ୍କବାଦ ବିରୁଦ୍ଧରେ ସାଧାରଣ ଲଢ଼େଇରେ ଏପରି କାର୍ଯ୍ୟ ଏବଂ ବିଚାରଧାରାକୁ ନିନ୍ଦା କରିଛି।
ପ୍ରତିରକ୍ଷା ମନ୍ତ୍ରୀ ବର୍ତ୍ତମାନର ଭୂରାଜନୈତିକ ଅସ୍ଥିରତା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଆଜି ବିଶ୍ୱ ଏକପାଖିଆ ନୀତି ଏବଂ ସଂଘର୍ଷ ବୃଦ୍ଧି ପାଉଥିବା ବାସ୍ତବତାର ସମ୍ମୁଖୀନ ହେଉଛି । ଗତ କିଛି ବର୍ଷ ମଧ୍ୟରେ ନିରନ୍ତର ଯୁଦ୍ଧ ଯୋଗୁଁ ଜୀବନ ଏବଂ ସମ୍ପତ୍ତିର କ୍ଷତି ଚିନ୍ତାଜନକ ହାରରେ ଉପନୀତି ହୋଇଛି । ଆମ ପାଇଁ ଆତ୍ମସମୀକ୍ଷା କରିବା ସହ ଏହି ପରିସ୍ଥିତିର ମୁକାବିଲା ପାଇଁ ପ୍ରଭାବଶାଳୀ ପଦକ୍ଷେପ ନେବାର ସମୟ ଆସିଛି ବୋଲି ରାଜନାଥ କହିଛନ୍ତି ।