ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ପଞ୍ଚାୟତ ନିର୍ବାଚନକୁ ନେଇ କଂଗ୍ରେସ ବଡ଼ ନିଷ୍ପତ୍ତି ନେଇଛି। କଂଗ୍ରେସ ଦଳ ଏଥର ଏକାକୀ ଭାବେ ନିର୍ବାଚନ ଲଢ଼ିବ। ବିଜୁ ଜନତା ଦଳ (ବିଜେଡି) ସହ କୌଣସି ମିଳିତ ମେଣ୍ଟ ହେବ ନାହିଁ। ଏନେଇ ସ୍ପଷ୍ଟ କରିଛନ୍ତି
ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ (ପିସିସି ସଭାପତି)ଭକ୍ତ ଚରଣ ଦାସ। ସେ କହିଛନ୍ତି, ଦଳ ନିଜ ଶକ୍ତିରେ ଜିଲ୍ଲା ପରିଷଦ, ପଞ୍ଚାୟତ ଓ ପୌର ନିର୍ବାଚନ ଲଢ଼ିବ। ଦଳର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାମାନଙ୍କ ମତ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି।
ଏପଟେ ବିଜୁ ଜନତା ଦଳ ମଧ୍ୟ କହିଛି ଯେ ସେମାନେ ମଧ୍ୟ ଏକାକୀ ଭାବେ ନିର୍ବାଚନ ଲଢ଼ିବେ। ଦୁଇ ଦଳ ମଧ୍ୟରେ ମିଳିତ ମେଣ୍ଟକୁ ନେଇ ଯାହା ଚର୍ଚ୍ଚା ହେଉଥିଲା, ସେଥିରେ ଏବେ ପୂର୍ଣ୍ଣଛେଦ ପଡିଛି।
ସମ୍ପ୍ରତି ରାଜ୍ୟସଭା ନିର୍ବାଚନରେ କ୍ରସ୍-ଭୋଟିଂ ଘଟଣା ପରେ ଦୁଇ ଦଳ ଭିତରେ ସମ୍ପର୍କ ଖରାପ ହୋଇଥିବା କୁହାଯାଉଛି। ଏହା ପରେ କଂଗ୍ରେସ ଏବେ ଏକାକୀ ଲଢ଼ିବାକୁ ନିଷ୍ପତି ନେଇଛି। ତେବେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ କୌଣସି ମେଣ୍ଟ ହେବ କି ନାହିଁ ତାହା ଦଳର ହାଇକମାଣ୍ଡର ନିର୍ଦ୍ଦେଶ ଉପରେ ନିର୍ଭର କରିବ ବୋଲି କହିଛନ୍ତି ଭକ୍ତ ଚରଣ ଦାସ।