କେନ୍ଦୁଝର: ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ମୃତ ଭଉଣୀର କଙ୍କାଳ ଆଣିଛି ଭାଇ । କଙ୍କାଳ ପ୍ରମାଣ ଦେବ ଯିଏ ତାଙ୍କ ଭଉଣୀ ମୃତ । ଏହା ପରେ ଯାଇ ମୃତ ଭଉଣୀର ଟଙ୍କା ମିଳିପାରିବ । ବାରମ୍ବାର ବ୍ୟାଙ୍କକୁ ଦଉଡ଼ିବା ପରେ ଶେଷରେ ନିରାଶ ହୋଇ ଏଭଳି ଚରମ ପଦକ୍ଷେପ ନେଇଛି ଭାଇ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ପାଟଣା ମଲିପଶିସ୍ଥିତ ଏକ ବ୍ୟାଙ୍କ ସମ୍ମୁଖରୁ ଆସିଛି ।
ଏଭଳି ଅଭାବନୀୟ ଦୃଶ୍ୟ କେନ୍ଦୁଝର ଜିଲା ପାଟଣା ମଲିପଶିସ୍ଥିତ ଏକ ବ୍ୟାଙ୍କ ସମ୍ମୁଖରୁ ଆସିଛି । କାନ୍ଧରେ ଭଉଣୀର କଙ୍କାଳ ବୋହି ନେଉଥିବା ବ୍ୟକ୍ତି ଜଣକ ହେଲେ ନିକଟ ଡିଆନାଳି ଗାଁର ଜିତୁ ମୁଣ୍ଡା । ଜିତୁଙ୍କ ଏପରି ପ୍ରତିବାଦ ଆଜି ଦାନ ମାଝୀଙ୍କ ସମସ୍ୟାକୁ ପୁଣି ଥରେ ମନେପକାଇ ଦେଇଛି । ଆଜିର ଏଆଇ ଯୁଗରେ ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ଗରିବ ଲୋକଟିକୁ କିପରି ହଇରାଣ କରାଯାଉଛି ତାହାର ନଗ୍ନ ଚିତ୍ର ଆପଣଙ୍କ ସାମ୍ନାରେ ।
ଜିତୁ ମୁଣ୍ଡାଙ୍କ ଭଉଣୀ ହେଉଛନ୍ତି କାଲାରା ମୁଣ୍ଡାଙ୍କ ୩ ମାସ ତଳେ ଦେହାନ୍ତ ହୋଇଯାଇଛି । କାଲାରାଙ୍କ ବ୍ୟାଙ୍କ ଖାତାରେ ୧୬ ହଜାର ଟଙ୍କା ରହିଥିଲା । । ମଲିପଶିସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ କାଲାରାଙ୍କ ଆକାଉଣ୍ଟ ରହିଛି । ତେଣୁ ସେହି ଟଙ୍କା ଉଠାଇବା ପାଇଁ ଜିତୁ ବାରମ୍ବାର ବ୍ୟାଙ୍କ ଦୌଡୁଥିଲେ । ପ୍ରତି ଥର ବ୍ୟାଙ୍କ କର୍ତ୍ତୃପକ୍ଷଙ୍କଠାରୁ ଉତ୍ତର ମିଳୁଥିଲା ଯାହା ଆକାଉଣ୍ଟ ସେ ନ ଆସିଲେ ଟଙ୍କା ମିଳିବ ନାହିଁ । ଏପରି କି ଜିତୁଙ୍କ ଭଉଣୀଙ୍କର ମୃତ୍ୟୁ ହୋଇସାରିଥିବା ଜାଣିବା ପରେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ସମାଧାନର ଉଚିତ ବାଟ ବତାଇନଥିଲେ ।
ଶେଷରେ ଉପାୟ ନ ପାଇ ଜିତୁ ଭଉଣୀର ମୃତଦେହ ପୋତାଯାଇଥିବା ସ୍ଥାନକୁ ଖୋଳି ସେଥିରୁ ଶବ କାଢ଼ିଥିଲେ । କଙ୍କାଳକୁ ବସ୍ତାରେ ବାନ୍ଧି ରାସ୍ତାରେ ଚାଲି ଚାଲି ବ୍ୟାଙ୍କ ପହଞ୍ଚିଥିଲେ । ଏହି ଦୃଶ୍ୟ ଯେତିକି ହୃଦୟ ବିଦାରକ ଥିଲା ସେତିକି ଦୁଃଖଦାୟକ ମଧ୍ୟ ଥିଲା । ଦେଖଣାହାରୀ କେବଳ ଜିତୁଙ୍କୁ ପ୍ରତିବାଦ କରିବା ଛଡ଼ା ସେମାନଙ୍କ ପାଖରେ କୌଣସି ଉପାୟ ନ ଥିଲା ।
କିଛି ସମୟ ପାଇଁ ବ୍ୟାଙ୍କ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା । ବ୍ୟାଙ୍କ ପକ୍ଷରୁ ପୋଲିସ ଖବର ଦିଆଯାଇଥିଲା । ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ଜିତୁ ନିଜ ଭଉଣୀର କଙ୍କାଳକୁ ପୁନର୍ବାର ପୋତି ଦେଇଥିଲେ ।
ଏହି ଘଟଣାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟିକରଣ ଆସିଛି । ବ୍ୟାଙ୍କ ସଫେଇ ଦେଇଛି ଯେ ତାଙ୍କୁ ମୃତ ଦେହ ଆଣିବାକୁ କୁହାଯାଇନଥିଲା । ବ୍ୟାଙ୍କ କହିଛି ଯେ ଜିତୁ ପ୍ରଥମେ ଭଉଣୀଙ୍କ ଟଙ୍କା ଉଠାଇବାକୁ ଆସିଥିଲେ । ମାତ୍ର ବ୍ୟାଙ୍କର ନିୟମ ଅନୁଯାୟୀ ତୃତୀୟ ବ୍ୟକ୍ତିଙ୍କୁ ଟଙ୍କା ଦିଆଯାଇପାରିବ ନାହିଁ । କିନ୍ତୁ ଯେତେବେଳେ ବ୍ୟାଙ୍କ୍ ମ୍ୟାନେଜର ଜାଣିବାକୁ ପାଇଥିଲେ ଖାତାଧାରୀ ଜଣକ ମୃତ, ସେତେବେଳେ ମୃତ୍ୟୁର ପ୍ରମାଣ ପତ୍ର, ମୃତ୍ୟୁ ବେଳର ଯଦି ଭିଡ଼ିଓ କିମ୍ବା ଫଟୋ ଥାଏ ତାହା ଦାଖଲ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଜିତୁ ପରବର୍ତ୍ତୀ ସମୟରେ ସିଧାସଳଖ କଙ୍କାଳ ଧରି ବ୍ୟାଙ୍କରେ ପହଁଚିଥିଲେ । ତେବେ ଏ ନେଇ ବ୍ୟାଙ୍କ ପୋଲିସକୁ ଖବର ଦେଇଥିଲା ।
ବ୍ୟାଙ୍କ କହିଛି ଯେ ମ୍ୟାନେଜର କେବଳ ପ୍ରକୃତ ବ୍ୟକ୍ତିଙ୍କ ଟଙ୍କାକୁ ସୁରକ୍ଷିତ କରିବାକୁ ଚାହୁଁଥିଲେ । ଏଥିରେ କୌଣସି ହଇରାଣ ହରକତ କରାଯାଇନଥିଲା । ତତସହିତ ବ୍ୟାଙ୍କ ମଧ୍ୟ ସ୍ଥାନୀୟ ପ୍ରଶାସନ ସହିତ ମୃତ୍ୟୁପ୍ରମାଣ ପତ୍ର ପାଇଁ ଯୋଗାଯୋଗ କରିଛି । ପ୍ରକୃତ ପ୍ରମାଣପତ୍ର ଆସିଲେ ଟଙ୍କା ଉଠାଇବାକୁ ଅନୁମତି ମିଳିବ ବୋଲି ବ୍ୟାଙ୍କ ସ୍ପଷ୍ଟ କରିଛି । ସେହିପରି ବ୍ୟାଙ୍କ ମ୍ୟାନେଜର ଜିତୁ ବାରମ୍ବାର ବ୍ୟାଙ୍କ ଆସିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ସେ ଗତକାଲି ହିଁ ବ୍ୟାଙ୍କକୁ ଆସିଥିଲେ ଏବଂ ଭେଟିଥିଲେ । କିନ୍ତୁ ସେ ହଠାତ୍ ଯାଇ କଙ୍କାଳ ଧରିକି ଆସିଥିଲେ ।