ବଲାଙ୍ଗିର: ପିକଭ୍ୟାନ ଓଲଟି ପଡ଼ିବାରୁ ଚାଲିଗଲା ୩ ନାବାଳକଙ୍କ ଜୀବନ । ଆଉ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ନିକଟସ୍ଥ ଲେଶୁନ ବାହାଲି ଗ୍ରାମରେ ଏଭଳି ଅଘଟଣ ଘଟିଛି । ମୃତକ ମାନେ ହେଲେ ଲେଶୁନ ବହାଲି ଗ୍ରାମର ରାଜବିର ତାଣ୍ଡି (୧୫), କତରକେଲା ତେନ୍ତୁଳି ପଡ଼ା ଅଭିଶିଖାଙ୍କ ମଝିଆ ପୁଅ ରାଜା ଶିଖା (୧୩) ଏବଂ ଜଳନ୍ଧର ତାଣ୍ଡିଙ୍କ ପୁଅ ଆଲୋକ ତାଣ୍ଡି (୧୫) । ଗୁରୁତରମାନେ ହେଲେ ମୋସେଶ ତାଣ୍ଡି (୧୧), କ୍ରିଷ୍ଣା ତାଣ୍ଡି (୧୪ ) ଏବଂ ବିକ୍ରମ ତାଣ୍ଡି (୧୫) ।
ସୂଚନା ଅନୁସାରେ, ଛଅ ଜଣ ନାବାଳକ ଗାଁରେ ଏକ ଭୋଜିରେ ପ୍ରଥମେ ଖାଇବା ପରେ ଏକ ପିକ୍ଅପ୍ ଗାଡ଼ି (OD 03 Q 4284) ବସି ଖେଳୁ ଥିଲେ । ପରିବାର ଲୋକେ ଏ ବାବଦରେ କିଛି ଜାଣି ନ ଥିଲେ । ଭୋଜିରେ ପାଣି ସରିଯିବାରୁ ପାଣି ପ୍ୟାକେଟ୍ ଆଣିବା ପାଇଁ ଲେସୁନବାହାଲି ଗ୍ରାମରୁ ଟିଟିଲାଗଡ଼ ଯାଉଥିଲେ । ପିକ୍ଅପ୍ ଭ୍ୟାନ୍ଟି ଟିଟିଲାଗଡ଼ ନିକଟ ମାରଲାର୍ଡ ବ୍ରିଜ୍ ନିକଟରେ ଭାରସାମ୍ୟ ହରାଇ ଏକ ବାଇକ ସହ ଧକ୍କା ହେବା ପରେ ଓଲଟି ପଡ଼ିଥିଲା। ଫଳରେ ଗାଡ଼ିର ପଛପଟେ ବସିଥିବା ସମସ୍ତ ଛଅ ଜଣ ନାବାଳକ ଗାଡ଼ିରୁ ଛିଟିକି ପଡ଼ିଥିଲେ। ତେବେ ଘଟଣା ସ୍ଥଳରେ ଜଣଙ୍କର ମୃତ ହୋଇଥିବା ବେଳେ ଆଉ ଦୁଇ ଜଣ ନାବାଳକଙ୍କ ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ମୃତ ହୋଇଥିବା ଜଣାପଡ଼ିଛି ।
ଦୁର୍ଘଟଣା ସ୍ଥଳରେ ରାଜବିର ତାଣ୍ଡିଙ୍କର ମୃତ୍ୟୁ ହୋଇଯାଇଥିଲା । ସେହିପରି ରାଜା ଶିଖା, ଆଲୋକ, ସୋମେଶ, କ୍ରିଷ୍ଣା ଏବଂ ବିକ୍ରମଙ୍କୁ ଗୁରୁତର ଅବସ୍ଥାର ଟିଟିଲାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା ରାଜା ଏବଂ ଆଲୋକ ପ୍ରାଣ ହରାଇଥିଲେ । ସେହିପରି ଅନ୍ୟ ତିନି ଜଣ ମୋସେଶ, କ୍ରିଷ୍ଣା ଏବଂ ବିକ୍ରମଙ୍କୁ ଗୁରୁତର ଅବସ୍ଥା ସଙ୍ଗୀନ ହେବାରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ପଠାଇ ଦିଆ ଯାଇଅଛି ।
ତେବେ ହଠାତ ଏଭଳି ଏକ ଅଘଟଣକୁ ଗ୍ରାମବାସୀ ସହଜରେ ଗ୍ରହଣ କରିପାରିନାହାଁନ୍ତି । ଖବର ପାଇ ଟିଟିଲାଗଡ଼ ତହସିଲଦାର, ବିଧାୟକ ନବୀନ ଜୈନ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଏହାକୁ ସମ୍ପୂର୍ଣ୍ଣ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।