କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ କୋଲକାତାର ହାଇ-ପ୍ରୋଫାଇଲ୍ (High-profile) ଭବାନୀପୁର ଆସନର କାଳୀଘାଟ ଅଞ୍ଚଳରେ ପ୍ରଚଣ୍ଡ ହଙ୍ଗାମା ଦେଖିବାକୁ ମିଳିଛି। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କ୍ଷେତ୍ରରେ ପହଞ୍ଚିବା ମାତ୍ରେ ତୃଣମୂଳ କଂଗ୍ରେସ ଏବଂ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ, ଯାହାଦ୍ୱାରା ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା। ଟିଏମସି ସମର୍ଥକମାନେ ଶୁଭେନ୍ଦୁ ଅଧିକାରୀଙ୍କ ସାମ୍ନାରେ ‘ଜୟ ବାଂଲା’ ନାରା ଲଗାଇଥିଲେ। ଜବାବରେ ବିଜେପି କର୍ମୀମାନେ ‘ଜୟ ଶ୍ରୀ ରାମ’ ନାରା ଲଗାଇବାକୁ ଲାଗିଥିଲେ।
କ’ଣ କହିଲେ ଶୁଭେନ୍ଦୁ ଅଧିକାରୀ?
ଶୁଭେନ୍ଦୁ ଅଧିକାରୀ ଏହି ଲୋକମାନଙ୍କୁ ସ୍ଥାନୀୟ ଭୋଟଦାତା ବୋଲି ମାନିବାକୁ ମନା କରି ‘ବାହାରିଆ’ ବୋଲି କହିଥିଲେ। ସେ କହିଥିଲ, ‘ଏମାନେ ଭୋଟଦାତା ନୁହନ୍ତି, ବରଂ ବାହାରୁ ଡକାଯାଇଥିବା ଉପଦ୍ରବୀ।’ ସ୍ଥିତି ବିଗୁଡ଼ୁଥିବା ଦେଖି ଶୁଭେନ୍ଦୁ ତୁରନ୍ତ ଫୋନ୍ରେ କାହାକୁ ସ୍ଥାନର ସୂଚନା ଦେଇ କହିଲେ, ‘ମୁଁ ଏଇଠି ଅଛି ଆପଣ ଆସନ୍ତୁ।’ ଏହା ପରେ ସେଠାରେ ରୁଣ୍ଡ ହୋଇଥିବା ବିଜେପି କର୍ମୀ ‘ଜୟ ଶ୍ରୀ ରାମ’ ନାରା ଲଗାଇଥିଲେ, ଯାହା ପରେ ମାହୋଲ୍ ଗରମ ହୋଇଥିଲା।
ଟିଏମସି କଲା ପାଲଟା ଆକ୍ରମଣ
ଅନ୍ୟପଟେ, ଟିଏମସି ନେତ୍ରୀ କାଜୋରୀ ବାନାର୍ଜୀ ବିଜେପିର ଅଭିଯୋଗକୁ ସିଧାସଳଖ ଖାରଜ କରିଦେଲେ। ସେ କହିଲେ, ‘ଆମେ ଲୋକେ ଶାନ୍ତିପୂର୍ବକ ଭୋଟ୍ ଦେବାକୁ ଆସିଥିଲୁ, କିନ୍ତୁ ଶୁଭେନ୍ଦୁ ଅଧିକାରୀ ଏଠାକୁ ଆସି ମାହୋଲ୍ ଖରାପ କରିବାକୁ ଚେଷ୍ଟା କରିଛନ୍ତି। ତାଙ୍କ ଉପରେ କେହି ଆକ୍ରମଣ କରି ନାହାନ୍ତି, ସେ କେବଳ ମତଦାନକୁ ପ୍ରଭାବିତ କରିବା ପାଇଁ ଭୁଲ୍ ଅଭିଯୋଗ ଲଗାଉଛନ୍ତି।’
ପରେ ଗଣମାଧ୍ୟମ ସହିତ କଥା ହେବା ସମୟରେ ଶୁଭେନ୍ଦୁ ଅଧିକାରୀ ଅଭିଯୋଗ ଲଗାଇଲେ ଯେ କଥା କେବଳ ରାଜନୈତିକ ନାରା ମଧ୍ୟରେ ସୀମିତ ନ ଥିଲା। ଶୁଭେନ୍ଦୁ କହିଲେ, ‘ମୁଁ ୧୫ ମିନିଟ୍ ପର୍ଯ୍ୟନ୍ତ ଶାନ୍ତିର ସହ ଶୁଣୁଥିଲି, କିନ୍ତୁ ଯେତେବେଳେ ସେମାନେ ଆମ ଧର୍ମ ଏବଂ ଆମ ଭଗବାନଙ୍କ ବିରୋଧରେ ଅପଶବ୍ଦ କହିଲେ, ସେତେବେଳେ ମୁଁ ଉଚିତ୍ ଜବାବ ଦେଲି।’ ସେ ଆଗକୁ କହିଥିଲେ ଯେ ‘ଏସବୁ ସୁଚିନ୍ତିତ ଷଡ଼ଯନ୍ତ୍ର, ଯେମିତି ଗଣମାଧ୍ୟମରେ ଏପରି ଛବି ଦେଖାଯିବ ଯେ ଶୁଭେନ୍ଦୁ ଅଧିକାରୀ ହଙ୍ଗାମା କରୁଛନ୍ତି।’
ଅନ୍ୟପଟେ, ଘଟଣାସ୍ଥଳରେ ମୁତୟନ ଥିବା ବିପୁଳ ପୋଲିସ ବଳ ଏବଂ ବରିଷ୍ଠ ଅଧିକାରୀମାନେ ହସ୍ତକ୍ଷେପ କରି ସ୍ଥିତିକୁ ସମ୍ଭାଳିଥିଲେ। ପୋଲିସ ଅଧିକାରୀଙ୍କ କହିବା କଥା ଯେ ସ୍ଥିତି ଏବେ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ଏବଂ ମତଦାନ ପ୍ରକ୍ରିୟା ଠିକ୍ ଭାବେ ଚାଲିଛି।