କୋଲକାତା: ଆଜି ପଶ୍ଚିମବଙ୍ଗରେ ଅନ୍ତିମ ପର୍ୟ୍ୟାୟ ମତଦାନ ଜାରି ରହିଛି । ଟିଏମସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ତାଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀ ଭବାନୀପୁରର ଅନେକ ମତଦାନ କେନ୍ଦ୍ର ପରିଦର୍ଶନ କରିଛନ୍ତି । ମତଦାନରେ ଅନିୟମିତତା ଅଭିଯୋଗ କରି ମମତା ବାନାର୍ଜୀ ନିଜେ ବୁଥ ଜଗି ରହିଛନ୍ତି ।
ଟିଏମସି ସୁପ୍ରିମୋ ଯିଏ ସାଧାରଣତଃ ଭୋଟ୍ ଦିନ ଅପରାହ୍ନରେ ମିତ୍ର ଇନଷ୍ଟିଚ୍ୟୁସନ୍ ସ୍କୁଲରେ ଭୋଟ୍ ଦେବା ପାଇଁ ତାଙ୍କ କାଲିଘାଟ ବାସଭବନରୁ ବାହାରିଥାନ୍ତି । କିନ୍ତୁ ଆଜି ସକାଳ ୮ଟା ପୂର୍ବରୁ ଦକ୍ଷିଣ କୋଲକାତାର ଚେତଲା ଅଞ୍ଚଳ ସମେତ ନିର୍ବାଚନ ମଣ୍ଡଳୀର ଅନେକ ମତଦାନ କେନ୍ଦ୍ର ଗସ୍ତ କରିଛନ୍ତି । ଭବାନୀପୁରର ଚକ୍ରବେରିଆରେ ଏକ ମତଦାନ କେନ୍ଦ୍ର ବାହାରେ ବସି ରହିଥିଲେ ମମତା । ମତଦାନରେ ଅନିୟମିତତା ହୋଇଥିବା ମମତା ଅଭିଯୋଗ କରିଛନ୍ତି । ବିଜେପି ଦଳ କେନ୍ଦ୍ରୀୟ ବାହିନୀ ଏବଂ ପର୍ଯ୍ୟବେକ୍ଷକଙ୍କ ମାଧ୍ୟମରେ ଭୋଟ୍ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ମମତା ଅଭିଯୋଗ କରିଛନ୍ତି । ମତଦାନ କେନ୍ଦ୍ରରେ ରାଜ୍ୟ ପୋଲିସ ନ ଥିବାବେଳେ କେବଳ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରାଯାଇଛି । ମତଦାନ କେନ୍ଦ୍ରରେ ବାହାର ପର୍ଯ୍ୟବେକ୍ଷକ ହସ୍ତକ୍ଷେପ କରୁଥିବା ମମତା କହିଛନ୍ତି ।
ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ପୂର୍ବରୁ ସମସ୍ତ ଟିଏମସି ଦଳର ପତାକା ହଟାଇ ଦିଆଯାଇଛି ଏବଂ ଦାବି କରିଛନ୍ତି ଯେ ବାହାର ଲୋକମାନେ ମତଦାନ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଛନ୍ତି। ସେମାନେ ୱାର୍ଡ ନମ୍ବର ୭୦ ର କାଉନସିଲରଙ୍କୁ ବାହାରକୁ ଯିବାକୁ ଦେଉନାହାଁନ୍ତି । ସେମାନେ ଟିଏମସିର ସମସ୍ତ ଏଜେଣ୍ଟମାନଙ୍କୁ ଉଠାଇ ନେଉଛନ୍ତି । ସେ ସାରା ରାତି ଜଗି ରହିଛନ୍ତି । ରାଜ୍ୟ ବାହାରର କିଛି ଲୋକ ନିର୍ବାଚନମଣ୍ଡଳୀରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ବିଜେପି ବଳପୂର୍ବକ ନିର୍ବାଚନ ଜିତିବାକୁ ଚାହୁଁଛି । ତେଣୁ ଟିଏମସି କର୍ମକର୍ତ୍ତା ମରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମମତା ।
ସେପଟେ ବିଜେପି ତାଙ୍କ ଅଭିଯୋଗକୁ ଖାରଜ କରି କହିଛି ଯେ ଶାସକ ଦଳ ଏହା ବିରୁଦ୍ଧରେ ଜନସାଧାରଣଙ୍କ କ୍ରୋଧ ଅନୁଭବ କରିବା ପରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚେଷ୍ଟା କରୁଛି।
ଭବାନୀପୁର ବିଧାନସଭା କ୍ଷେତ୍ର ହେଉଛି ବାନାର୍ଜୀଙ୍କ ରାଜନୈତିକ ଗଡ଼ । ଏଠାରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଓ ମମତା ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି । ଏହିଠାରେ ୨୦୨୧ ବିଧାନସଭା ନିର୍ବାଚନରେ ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ପରାସ୍ତ କରିଥିଲେ।