ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କେନ୍ଦ୍ର ଶାସିତ ଅଞ୍ଚଳରେ ‘ନିଶା ମୁକ୍ତି ଅଭିଯାନ’ ଆରମ୍ଭ କରିଛନ୍ତି। ୧୦୦ ଦିନ ମଧ୍ୟରେ ନିଶା କାରବାର ନେଟୱାର୍କକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ନିଆଯାଉଛି।
ଜମ୍ମୁ-କାଶ୍ମୀର ଉପତ୍ୟକାରେ ନିଶା ନେଟୱାର୍କ ଏବଂ ସମସ୍ତ ପ୍ରକାର ନିଶା ଦ୍ରବ୍ୟ ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ନିଶା ବେପାରୀଙ୍କ ବେଆଇନ ସମ୍ପତ୍ତି ଉପରେ ବୁଲଡୋଜର ଚଳାଯାଉଛି। ପ୍ରଶାସନ ପକ୍ଷରୁ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ପ୍ରଥମ ଥର ପାଇଁ ନିଆଯାଉଛି।
ଏହି ଅଭିଯାନର ଶୁଭାରମ୍ଭ ଅନନ୍ତନାଗରୁ ହୋଇଛି ଏବଂ ଆଗାମୀ ଦିନରେ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଏହା ଦେଖିବାକୁ ମିଳିବ। ଆଜି ସକାଳେ ଅନନ୍ତନାଗ ପୋଲିସ, ଜିଲ୍ଲା ପ୍ରଶାସନ ସହିତ ମିଶି ଜାତୀୟ ରାଜପଥ-୪୪ କଡ଼ରେ ଥିବା ନିଶା ବେପାରୀଙ୍କ କୋଟି କୋଟି ଟଙ୍କାର ବେଆଇନ ସମ୍ପତ୍ତିକୁ ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦେଇଛନ୍ତି।
ବେଆଇନ ରୋଜଗାରରେ ନିର୍ମିତ ସମ୍ପତ୍ତି ଧ୍ୱଂସ
ଅଧିକାରୀମାନେ କହିଛନ୍ତି ଯେ, ଏହି କାର୍ଯ୍ୟାନୁଷ୍ଠାନ ନିଶା କାରବାର ବିରୋଧରେ ଚାଲିଥିବା ଅଭିଯାନର ଏକ ଅଂଶ। ଏହାର ଲକ୍ଷ୍ୟ ହେଉଛି ନିଶା କାରବାରରୁ ଅର୍ଜିତ ବେଆଇନ ସମ୍ପତ୍ତିକୁ ଚିହ୍ନଟ କରି ନଷ୍ଟ କରିବା। ଭଙ୍ଗା ଯାଇଥିବା କୋଠାଗୁଡ଼ିକ ସେହି ସମ୍ପତ୍ତି, ଯାହା ନିଶା ବେପାରରୁ ମିଳିଥିବା ଅର୍ଥରେ ନିର୍ମାଣ କରାଯାଇଥିଲା।
ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ପୋଲିସ ଓ ପ୍ରଶାସନ ଦ୍ୱାରା ଏହି ମିଳିତ ଅଭିଯାନ ଆଇନଗତ ପ୍ରକ୍ରିୟା ଅନୁସରଣ କରି କରାଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜିଲ୍ଲାରେ ନିଶା ବେପାରୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିବା।
ପୋଲିସ ସାଧାରଣ ଜନତାଙ୍କୁ ସହଯୋଗ କରିବାକୁ ଏବଂ ସୂଚନା ସେୟାର କରିବାକୁ ଅନୁରୋଧ କରିଛି, ଯାହାଫଳରେ ସମାଜରୁ ଏହି ନିଶା ନେଟୱାର୍କକୁ ସମ୍ପୂର୍ଣ୍ଣ ରୂପେ ଦୂର କରାଯାଇପାରିବ।