ଭୁବନେଶ୍ୱର: ରାଜ୍ୟରେ ଆୟୁର୍ବେଦିକ ଏବଂ ହୋମିଓପାଥି ମେଡ଼ିକାଲ କଲେଜରେ କାର୍ଯ୍ୟରତ ଚୁକ୍ତି ଭିତ୍ତିକ ଅଧ୍ୟାପକଙ୍କ ପାଇଁ ଆସିଛି ଖୁସି ଖବର । ଦୁଇ ଗୁଣିତ ହୋଇଛି ଚୁକ୍ତିଭିତ୍ତିକ ଅଧ୍ୟାପକଙ୍କ ଦରମା ବୃଦ୍ଧି କରିଛି । ରାଜ୍ୟ ସରକାର ହୋମିଓପାଥି ଓ ଆୟୁର୍ବେଦିକ କଲେଜ ଅଧ୍ୟାପକଙ୍କ ଦରମା ବୃଦ୍ଧି କରିଛନ୍ତି ।
ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ଦ୍ୱାରା ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜଗୁଡିକରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଲେକ୍ଚରର, ରିଡର ଏବଂ ପ୍ରଫେସରମାନଙ୍କ ଦରମା ପୁନଃନିର୍ଦ୍ଧାରଣ ଓ ବୃଦ୍ଧି କରାଯାଇଛି । ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଚୁକ୍ତିଭିତ୍ତିକ ଲେକ୍ଚରରମାନଙ୍କ ଦରମା ପ୍ରତିମାସ ୭୦,୦୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି । ସେହିପରି, ରିଡର ଓ ପ୍ରଫେସରମାନଙ୍କ ଦରମାରେ ମଧ୍ୟ ବୃଦ୍ଧି କରାଯାଇଛି । ରିଡରମାନଙ୍କ ଦରମା ୪୦,୦୦୦ ଟଙ୍କାରୁ ବୃଦ୍ଧି ହୋଇ ୮୦,୦୦୦ ଟଙ୍କା କରାଯାଇଥିବାବେଳେ, ପ୍ରଫେସରମାନଙ୍କ ଦରମା ୫୦,୦୦୦ ଟଙ୍କାରୁ ବୃଦ୍ଧି କରାଯାଇ ୧ ଲକ୍ଷ ଟଙ୍କା କରାଯାଇଛି।
ଏହି ପ୍ରସ୍ତାବକୁ ଅର୍ଥ ବିଭାଗର ସମ୍ମତି ମଧ୍ୟ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇବା ସହ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ଆୟୁଷ ଶିକ୍ଷା ଆହୁରି ସୁଦୃଢ଼ ହେବ ଏବଂ ଅଧ୍ୟାପକମାନଙ୍କୁ ଉତ୍ସାହିତ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।