ସୁନ୍ଦରଗଡ଼: ସୁନ୍ଦରଗଡ଼ ବଣାଇରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ବସ୍ ଭାରସାମ୍ୟ ହରାଇ ରାସ୍ତାର ଅପରପାର୍ଶ୍ୱରେ ଯାଉଥିବା ଏକ ଟକକୁ ଶକ୍ତ ଧକ୍କା ଦେଇଛି । ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ୨୦ରୁ ଅଧିକ ଆହତ ହୋଇଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି ବସ୍ ଡ୍ରାଇଭର୍, ହେଲପର୍ ଏବଂ ଟ୍ରକ୍ ଡ୍ରାଇଭର । ମୃତକମାନେ ହେଲେ ବସ୍ ଡ୍ରାଇଭର ହେଲେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମନ୍ଦାରଖଣ୍ଡ ଗ୍ରାମର ମାନସ ରଂଜନ ପଣ୍ଡା ଓରଫ ବୁବା (୩୫), ଅନ୍ୟ ଜଣେ ବସ୍ ଡ୍ରାଇଭର ଦଶରଥପୁର ବ୍ଲକ ପୁରୁଣାସାହି ଗ୍ରାମର ନିରଞ୍ଜନ ରାଉତ ଓରଫ ବାଇନ (୫୩) ଏବଂ ହେଲ୍ପର ଜଣକ ଦଶରଥପୁର ବ୍ଲକ ବଜରାପାଟ ଗ୍ରାମର ଶିବ ପ୍ରସାଦ ନାୟକ (୫୨) । ଟ୍ରକ୍ ଡ୍ରାଇଭରଙ୍କ ପରିଚୟ ମିଳି ପାରିନାହିଁ । ଅନ୍ୟ ଜଣେ କଣ୍ଡକ୍ଟର୍ ଗୁରୁତର ଆହତ ମଧ୍ୟ ହୋଇଛନ୍ତି ।
ଗତକାଲି ରାତିରେ ଘରୋଇ ବସ ପ୍ରମିଳା ରାଉରକେଲାରୁ ଯାଜପୁର ମଙ୍ଗଳପୁର ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୧୪୩ ନମ୍ବର ଜାତୀୟ ରାଜପଥ ଚାନ୍ଦିପୋଷ ଥାନା ଅନ୍ତର୍ଗତ ମୂଷାବୀରାଠାରେ ବସ ଚାଳକ ଭାରସାମ୍ୟ ହରାଇ ସିଧା ଡିଭାଇଡର ଉପରକୁ ମାଡ଼ିଯାଇ ରାସ୍ତାର ଅପରପାର୍ଶ୍ୱକୁ ଚାଲିଯାଇଥିଲା । ଏହି ସମୟରେ ଡାହାଣ ପଟୁ ଆସୁଥିବା ଏକ ଲୁହା ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାରେ ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି । ୨୦ରୁ ଅଧିକ ଆହତ ହୋଇଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି ।
ଖବର ପାଇ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ରାଉରକେଲା ଆରଜିଏଚ୍ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ପ୍ରାୟ ଦୀର୍ଘ ସମୟରେ ଗ୍ୟାସ୍ କଟର ସାହାଯ୍ୟରେ ଗାଡ଼ିକୁ କଟାଯାଇ ୨ଟି ମୃତ ଦେହ ଉଦ୍ଧାର କରାଯାଇଥିଲା । ପ୍ରାୟ ୨୭ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୫ ଜଣଙ୍କୁ ଅନ୍ୟ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସମସ୍ତଙ୍କ ପରିବାର ଲୋକ ମଧ୍ୟ ମେଡ଼ିକାଲରେ ପହଁଚିଛନ୍ତି । ମେଡ଼ିକାଲରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ ଡ୍ରାଇଭର ଜଣକ କିପରି ଦୁର୍ଘଟଣା ଘଟାଇଲେ ତାହା ସ୍ପଷ୍ଟ ହୋଇନାହିଁ ।