ଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ISI ସମର୍ଥିତ ଏକ ଆନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ରାକେଟ୍ର ପର୍ଦ୍ଦାଫାଶ କରିଛି। ପୁଲିସ ଡ୍ରୋନ୍ ଏବଂ ସୀମା ପଥ ଦେଇ ଭାରତ ଅଣାଯାଇଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରିଛି। ଏହି ନେଟୱାର୍କର ମୁଖ୍ୟ ସର୍ଦ୍ଦାର ହେଉଛି ଶାହବାଜ ଅନ୍ସାରୀ, ଯାହାର ନାମ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ମଧ୍ୟ ସାମ୍ନାକୁ ଆସିଥିଲା।
ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଏହି ଆନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ରାକେଟ୍କୁ ଧରି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୁଲିସ ପାକିସ୍ତାନର ଗୁପ୍ତଚର ସଂସ୍ଥା ISI ର ଇଙ୍ଗିତରେ ଡ୍ରୋନ୍ ଓ ସୀମା ପଥ ଦେଇ ଭାରତ ଅଣାଯାଇଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରିଛି, ଯାହାକୁ ବିଭିନ୍ନ ରାଜ୍ୟରେ ବିକ୍ରି କରାଯିବାର ଥିଲା। ଏହି ମାମଲାରେ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି, ଯେଉଁମାନଙ୍କୁ ପଚରାଉଚରା କରାଯାଉଛି।
ଜବତ ହୋଇଛି ବିଦେଶୀ ପିସ୍ତଲ
ପୁଲିସ ଅନୁଯାୟୀ, ଜବତ କରାଯାଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ଜିଗାନା (Jigana) ଓ ଗ୍ଲକ୍ (Glock) ଭଳି ବିଦେଶୀ ପିସ୍ତଲ ରହିଛି। ମୋଟ ୨୩ଟି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ୯୨ଟି ଗୁଳି ଜବତ କରାଯାଇଛି। ଏହା ବ୍ୟତୀତ ବିହାରର ମୁଙ୍ଗେରରେ ନିର୍ମିତ ଦେଶୀ ବନ୍ଧୁକ ମଧ୍ୟ ମିଳିଛି। ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଅସ୍ତ୍ରଶସ୍ତ୍ର ଦିଲ୍ଲୀ-ଏନସିଆର, ପଞ୍ଜାବ ଏବଂ ଅନ୍ୟ ରାଜ୍ୟର ଗ୍ୟାଙ୍ଗଷ୍ଟର ଓ ଅସାମାଜିକ ତତ୍ତ୍ୱଙ୍କ ପାଖକୁ ପଠାଯିବାର ଥିଲା। ପୁଲିସ କହିଛି ଯେ ଏହି ନେଟୱାର୍କର ସମ୍ପର୍କ ପାକିସ୍ତାନର ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ଏବଂ ISI ସହିତ ରହିଛି।
ନେଟୱାର୍କର ସର୍ଦ୍ଦାର ଶାହବାଜ ଅନ୍ସାରୀ
ଏହି ପୂରା ମଡ୍ୟୁଲକୁ ଖୁର୍ଜାର ଶାହବାଜ ଅନ୍ସାରୀ ପରିଚାଳନା କରୁଥିଲା ବୋଲି ଜଣାପଡ଼ିଛି। ଅନ୍ସାରୀ ବର୍ତ୍ତମାନ ବାଂଲାଦେଶରେ ଅଛି ଏବଂ ସେଠାରୁ କାରବାର ଚଲାଉଥିଲା। ପୁଲିସ ଅନୁଯାୟୀ, ତା’ର କକା ରେହାନ ଅନ୍ସାରୀ ମଧ୍ୟ ଏହି କାମରେ ସାମିଲ ଅଛି, ଯିଏ ଦୁବାଇରେ ରହିଛି।
ମୁସେୱାଲା ହତ୍ୟାକାଣ୍ଡରେ ଆସିଥିଲା ନାମ
ଶାହବାଜ ଅନ୍ସାରୀର ନାମ ପୂର୍ବରୁ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ମଧ୍ୟ ସାମ୍ନାକୁ ଆସିଥିଲା। ସେହି ମାମଲାରେ ଗିରଫ ହେବା ପରେ ଜାମିନରେ ମୁକୁଳି ସେ ବାଂଲାଦେଶ ଫେରାର ହୋଇଯାଇଥିଲା। ପୁଲିସ ଅନୁଯାୟୀ, ଅଭିଯୁକ୍ତମାନେ ନେପାଳ ଓ ପଞ୍ଜାବ ସୀମା ଦେଇ ଅସ୍ତ୍ରଶସ୍ତ୍ର ଯୋଗାଉଥିଲେ।
ଅନ୍ୟ ଅଭିଯୁକ୍ତଙ୍କ ଖୋଜାଖୋଜି ଜାରି
ସୂଚନା ମୁତାବକ ଶାହବାଜର ସମ୍ପର୍କୀୟ ଭାଇ ରାହିଲ ଅନ୍ସାରୀ ଭାରତରେ ଅସ୍ତ୍ରଶସ୍ତ୍ର ଗ୍ରହଣ କରୁଥିଲା। ମଉଜପୁରର ଫରଦିନ, ଉତ୍ତରପ୍ରଦେଶ ଆଜମଗଡ଼ର ବିଶାଳ ସିଂହାନିଆ ଏବଂ ଜୌନପୁରର ଅହମ୍ମଦ ଏହି ଅସ୍ତ୍ରଶସ୍ତ୍ରକୁ ଆଗକୁ ବିକ୍ରି କରୁଥିଲେ। ସ୍ପେଶାଲ ସେଲ୍ ଏବେ ଏହି ନେଟୱାର୍କ ସହ ଜଡ଼ିତ ଅନ୍ୟ ଲୋକଙ୍କୁ ଖୋଜୁଛି ଏବଂ ମାମଲାର ତଦନ୍ତ ଜାରି ରହିଛି।