ନୂଆଦିଲ୍ଲୀ: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ପୂର୍ବତନ କ୍ରିକେଟର୍ ତଥା ରାଜ୍ୟସଭା ସାଂସଦ ହରଭଜନ ସିଂହଙ୍କ ସୁରକ୍ଷା ହଟିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । କୋର୍ଟ କେନ୍ଦ୍ର ସରକାର, ପଞ୍ଜାବ ସରକାର ଏବଂ ସମ୍ପୃକ୍ତ ସୁରକ୍ଷା ସଂସ୍ଥାଗୁଡ଼ିକୁ ନୋଟିସ୍ ଜାରି କରି ଜବାବ ତଲବ କରିଛନ୍ତି । ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ କୌଣସି ପରିସ୍ଥିତିରେ ହରଭଜନ ସିଂହ ଏବଂ ତାଙ୍କ ପରିବାରର ସୁରକ୍ଷା ସହିତ ଆଞ୍ଚ ଆସିବା ଉଚିତ୍ ନୁହେଁ । ହରଭଜନ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ପଞ୍ଜାବ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ହରଭଜନ ସିଂହଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନରେ କୁହାଯାଇଛି ଯେ ତାଙ୍କର ଜେଡ୍ ପ୍ଲସ୍ ସୁରକ୍ଷା ପ୍ରତ୍ୟାହାର ପରେ ତାଙ୍କ ଏବଂ ତାଙ୍କ ପରିବାର ପ୍ରତି ବିପଦ ବୃଦ୍ଧି ପାଇଛି। ନିକଟରେ କିଛି ବିକ୍ଷୋଭକାରୀ ତାଙ୍କ ବାସଭବନ ବାହାରେ ଏକତ୍ରିତ ହୋଇ ହଙ୍ଗାମା କରିଥିଲେ ଏବଂ ଘରର ବାହାର କାନ୍ଥରେ 'ଦେଶଦ୍ରୋହୀ' ଶବ୍ଦ ଲେଖି ବିକୃତ କରିଥିଲେ । ଏହି ଘଟଣା କେବଳ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଉପରେ ନୁହେଁ ବରଂ ତାଙ୍କ ପରିବାରର ମର୍ଯ୍ୟାଦା ଏବଂ ମାନସିକ ଶାନ୍ତିକୁ ଆଘାତ ଦେଇଛି । ହରଭଜନଙ୍କ ସାର୍ବଜନୀନ ଜୀବନ, ରାଜନୈତିକ ଦାୟିତ୍ୱ ଏବଂ ସାମାଜିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି, ସେ ଏକ ନିରନ୍ତର ସୁରକ୍ଷା ବିପଦର ସମ୍ମୁଖୀନ ହେଉଛନ୍ତି। ଏହି ପରିସ୍ଥିତିରେ ତାଙ୍କର ସୁରକ୍ଷା ପ୍ରତ୍ୟାହାର କରିବା ଅନୁଚିତ। ତାଙ୍କ ଘର ଉପରେ ଆକ୍ରମଣ ଏବଂ ଅପମାନଜନକ ସ୍ଲୋଗାନରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଉ ଏବଂ ସେମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ହରଭଜନଙ୍କ ପକ୍ଷରୁ ଦାବି କରାଯାଇଛି ।
କୋର୍ଟ ଶୁଣାଣିରେ କହିଛନ୍ତି ଯେ ଆଗାମୀ ଶୁଣାଣି ଏବଂ ନିର୍ଦ୍ଦେଶ ବଜାୟ ରଖାଯିବ । ଏହା ସହିତ କେଉଁ ପରିସ୍ଥିତିରେ ତାଙ୍କର ସୁରକ୍ଷା ପ୍ରତ୍ୟାହାର କରାଯାଇଛି ତାହାର ଉଚିତ କାରଣ ଦର୍ଶାଇବାକୁ ହାଇକୋର୍ଟ ପଞ୍ଜାବ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୨ ତାରିଖରେ କରିବାକ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ସାଂସଦ ହରଭଜନ ସିଂହ ଆପ ଦଳରୁ ଇସ୍ତଫା ଦେବା ପରେ ପଞ୍ଜାବ ସରକାର ତୁରନ୍ତ ତାଙ୍କୁ ଦିଆଯାଇଥିବା ଜେଡ୍ ପ୍ଲସ୍ ସୁରକ୍ଷାକୁ ପ୍ରତ୍ୟାହାର କରି ନେଇଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ହରଭଜନଙ୍କୁ ସିଆରପିଏଫ୍ ଫୋର୍ସ ମୁତୟନ କରାଯାଇଥିଲା ।