ଭୁବନେଶ୍ୱରର ପ୍ରସିଦ୍ଧ ବିଜେବି କଲେଜରେ ହଠାତ୍ ଉତ୍ତେଜନା ସୃଷ୍ଟି ହୋଇଛି। ଏକ ସାଧାରଣ “କମେଣ୍ଟ ମରା” ଘଟଣା କେବଳ କିଛି ମିନିଟ୍ରେ ଭୟଙ୍କର ରୂପ ନେଇଛି।
ସୂଚନା ଅନୁସାରେ, ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ କମେଣ୍ଟ ମରାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଉଭୟ ପକ୍ଷକୁ ପ୍ରିନ୍ସପାଲଙ୍କ ଚାମ୍ବରକୁ ଡାକାଯାଇଥିଲା। କିନ୍ତୁ ଆଲୋଚନା ଚାଲିଥିବା ସମୟରେ ହଠାତ୍ କିଛି ଛାତ୍ର ମାରଣାସ୍ତ୍ର ନେଇ ଚାମ୍ବର ଭିତରକୁ ପଶି ଆକ୍ରମଣ କରିଦେଲେ। ଫଳରେ ଦୁଇ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଛାତ୍ରଙ୍କୁ ଉଦ୍ଧାର କରି ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି।
ଘଟଣା ପରେ କଲେଜ ପରିସରରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପୋଲିସ ପହଞ୍ଚି ପରିସ୍ଥିତିକୁ କଣ୍ଟ୍ରୋଲ କରିଛି। ଛାତ୍ରମାନଙ୍କ ମଧ୍ୟରେ ଏପରି ହିଂସ୍ର ଘଟଣା ଶିକ୍ଷା ପରିବେଶକୁ ନେଇ ପ୍ରଶ୍ନ ଉଠାଇଛି। ଏକ ସାଧାରଣ କଥାରୁ ଆରମ୍ଭ ହୋଇଥିବା ବିବାଦ କିପରି ଜୀବନ-ମୃତ୍ୟୁ ସଂଘର୍ଷରେ ପରିଣତ ହୁଏ, ବିଜେବି କଲେଜର ଏହି ଘଟଣା ତାହାର ଜୀବନ୍ତ ଉଦାହରଣ।