ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଦୋଷୀକୁ ୨୫ବର୍ଷ ଜେଲଦଣ୍ଡ। ଅନୁଗୋଳ ଜିଲ୍ଲାର ଫାଷ୍ଟ ଟ୍ରାକ୍ କୋର୍ଟରେ ଏଭଳି ସମ୍ବେଦନଶୀଳ ମାମଲାର ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଦଣ୍ଡଧର ନାୟକଙ୍କୁ କୋର୍ଟ ୨୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଚଳିତବର୍ଷ ବେନ୍ତପୁର ଅଞ୍ଚଳରେ ଜଣେ ୧୫ ବର୍ଷୀୟା ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ନେଇ ପକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଥିଲା। ମାମଲାର ସମସ୍ତ ପ୍ରମାଣ ଓ ସାକ୍ଷ୍ୟକୁ ଆଧାର କରି କୋର୍ଟ ଏଭଳି କଠୋର ରାୟ ପ୍ରକାଶ କରିଛନ୍ତି। ଏଥିସହ ୫୦ ହଜାର ଟଙ୍କା ଜରିମାନା ଆଦେଶ ପ୍ରଦାନ ହୋଇଛି। ଜରିମାନା ଅନାଦେୟେ ଅଧିକ ୨ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ପୀଡିତା ନାବାଳିକାଙ୍କୁ ସରକାରଙ୍କ ପକ୍ଷରୁ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ଅଦାଲତ ପକ୍ଷରୁ ନିର୍ଦେଶନାମା ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଗତ ୨୦୨୪ ମସିହା ନଭେମ୍ବର ୩ତାରିଖରେ ସଦର ଥାନାରେ ପୀଡିତାଙ୍କ ପିତା ଅଭିଯୋଗ କରିଥିଲେ ଯେ ତାଙ୍କ ୧୫ବର୍ଷର ନାବାଳିକା ଝିଅ ସେହି ନଭେମ୍ବର ମାସ ୨ ତାରିଖରୁ ନିଖୋଜ ହୋଇଯାଇଥିଲା। ତାଙ୍କ ଝିଅ ନିଖୋଜ ପଛରେ ଅଭିଯୁକ୍ତ ଦଣ୍ଡଧର ସମ୍ପୃକ୍ତ ଥିବାର ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ସଦର ଥାନା ସବ ଇନ୍ସପେକ୍ଟର ଆଶୁତୋଷ ସାମଲ ମାମଲାର ତଦନ୍ତ କରି ଅପହୃତା ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲେ। ଫାଷ୍ଟଟ୍ରାକ ଅଦାଲତ ପୋକ୍ସ ପକ୍ଷରୁ ମାମଲାକୁ ବିଚାର ସମୟରେ ୮ଜଣ ସାକ୍ଷୀଙ୍କର ବୟାନ ରେକର୍ଡ କରି ଅଭିଯୁକ୍ତ ଦଣ୍ଡଧରକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡିତ କରାଯାଇଛି।