ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଗୁରୁବାର କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜାରି ଟଣା ଓଟରା ଉପରେ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ସଂପ୍ରତି ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ପରିବର୍ତ୍ତନ ହେଉ ନାହିଁ ଏବଂ ରାଜ୍ୟରେ ନେତୃତ୍ୱ ପ୍ରସଙ୍ଗ ଶୀଘ୍ର ସମାଧାନ ହୋଇଯିବ । ତାଙ୍କର ଏହି ବୟାନ ସେହି ସମୟରେ ଆସିଛି, ଯେବେ କର୍ଣ୍ଣାଟକରେ କ୍ଷମତାସୀନ ପାର୍ଟି ଓ ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି, ମେ ୪ରେ ନିର୍ବାଚନ ଫଳାଫଳ ଆସିବା ପରେ କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ହୋଇପାରେ ।
ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସମର୍ଥକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସହିତ କ୍ଷମତା ପରିବର୍ତ୍ତନ ବୁଝାମଣାକୁ ଜୋରସୋରରେ ଉଠାଇ ଚାଲିଛନ୍ତି । ସେମାନଙ୍କ କହିବା କଥା ୨୦୨୩ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ଏହା ସହମତି ହୋଇଥିଲା ଯେ, ସିଦ୍ଧରମୈୟା ଅଢେଇ ବର୍ଷ ଏବଂ ଡିକେଶିବକୁମାର ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ରହିବେ ।
ଏସବୁ ଟଣାଓଟରା ମଧ୍ୟରେ କର୍ଣ୍ଣାଟକର ଗୃହ ମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି ଯେ, ଯଦି ବହୁତ ଅନୁଭବ ଥିବା ବରିଷ୍ଠ ନେତା ଖରଗେ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ କ୍ଷମତାସୀନ କଂଗ୍ରେସ ପାର୍ଟିରେ ସମସ୍ତେ ସ୍ୱାଗତ କରିବେ । ଏହା ଉପରେ ଖଡଗେ କହିଛନ୍ତି ଯେ, ଯଦି ମୁଁ ମୁଖ୍ୟମନ୍ତ୍ରୀ ହେବି ଭଲ କଥା । ମାତ୍ର ଭାଗ୍ୟଠୁ ଅଧିକ ମୋର ବିଚାରଧାରା ଏବଂ ସେବାକୁ ଦୃଷ୍ଟିରେ ରଖି ହିଁ ସୋନିଆ ଗାନ୍ଧୀ ମୋ ସମ୍ବନ୍ଧରେ ନିର୍ଣ୍ଣୟ ନିଅନ୍ତି ।
ତାଙ୍କ କହିବା କଥା ଏବେ ଏହା ପ୍ରଶ୍ନ ଉଠୁନି । ରାଜ୍ୟରେ ପ୍ରଥମରୁ ଜଣେ ମୁଖ୍ୟମନ୍ତ୍ରୀ ଅଛନ୍ତି । ଯଦି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ମୋତେ ମିଶି ପରିବର୍ତ୍ତନ ଦିଗରେ କୌଣସି ନିଷ୍ପତ୍ତି ନେବାର ଅଛି ତେବ ଏଥିରେ କିଛି ସମୟ ଲାଗିବ । ତେଣୁ ଅପେକ୍ଷା କରନ୍ତୁ ।
Also Read: ଅପରେସନ ସିନ୍ଦୂର ୭୨ ଘଣ୍ଟାରେ କାହିଁକି ବନ୍ଦ କରାଗଲା, ରାଜନାଥ ସିଂ କହିଲେ କାରଣ