କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ମତଦାନ ଶେଷ ହେବା ସହିତ ପଶ୍ଚିମବଙ୍ଗ ଏକଜିଟ୍ ପୋଲ ସାମ୍ନାକୁ ଆସିଛି। ଏଥିରେ ଯେଉଁ ଆକଳନ କରାଯାଇଛି ତାହା ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି। ଅଧିକାଂଶ ଏକଜିଟ୍ ପୋଲରେ ବିଜେପି ବହୁମତ ପାଉଥିବା ପୂର୍ବାନୁମାନ କରାଯାଇଛି। ମାଟ୍ରିଜ୍ ଏକଜିଟ୍ ପୋଲ ଅନୁଯାୟୀ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ୧୫ ବର୍ଷର ଶାସନ ଭୁଶୁଡ଼ି ପଡ଼ିବା ପରି ମନେ ହେଉଛି। ଏକଜିଟ୍ ପୋଲରେ ବିଜେପି ରାଜ୍ୟରେ ବହୁମତର ଯାଦୁକରୀ ସଂଖ୍ୟା ଅତିକ୍ରମ କରିବ ବୋଲି ଦର୍ଶାଯାଇଛି।
ମାଟ୍ରିଜ୍ ପଶ୍ଚିମବଙ୍ଗରେ ବିଜେପି ଏବଂ ଟିଏମସି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ପୂର୍ବାନୁମାନ କରିଛି, ଯେଉଁଥିରେ ବିଜେପି ବହୁମତ ସଂଖ୍ୟା ଅତିକ୍ରମ କରିବାର ସମ୍ଭାବନା ରହିଛି। ମମତା ବାନାର୍ଜୀଙ୍କ ଟିଏମସିର ଆସନ ସଂଖ୍ୟା ଅଧା କମିପାରେ।
ବିଜେପି କେତେ ଆସନ ଜିତିବ ?
ମାଟ୍ରିଜ୍ ପଶ୍ଚିମବଙ୍ଗ ଏକଜିଟ୍ ପୋଲ ଅନୁଯାୟୀ, ବିଜେପି ୧୪୬ ରୁ ୧୬୧ ଆସନ ଜିତିପାରେ। ଅନ୍ୟପଟେ ଟିଏମସି ୧୨୫ରୁ ୧୪୦ ଆସନ ଜିତିପାରେ। ବାମ ଦଳ ଏବଂ କଂଗ୍ରେସ ସମେତ ଅନ୍ୟମାନେ ୬ ରୁ ୧୦ ଆସନ ଜିତି ପାରନ୍ତି। ରାଜ୍ୟରେ ବହୁମତ ପାଇଁ ,ମ୍ୟାଜିକ ନମ୍ବର ହେଉଛି ୧୪୮ ସିଟ୍।
ବିଜେପି କେବଳ ସଂଖ୍ୟା ବୃଦ୍ଧି କରୁନାହିଂ ବରଂ ୪୨ ପ୍ରତିଶତ ଭୋଟ ଜିତିବ ବୋଲି ଆକଳନ କରାଯାଇଛି। ଟିଏମସି ପ୍ରାୟ ୪୦ ପ୍ରତିଶତ ପାଇପାରେ। ଅନ୍ୟମାନେ ୧୬ ପ୍ରତିଶତରୁ ଅଧିକ ପାଇବେ ବୋଲି ଏକଜିଟ୍ ପୋଲରେ ଆକଳନ କରାଯାଇଛି।
ଉଲ୍ଲେଖନୀୟ ଯେ ଗତ ୨୦୨୧ ବିଧାନସଭା ନିର୍ବାଚନରେ ଟିଏମସି ୨୧୫ ଆସନ ଜିତିଥିଲା। ବିଜେପିକୁ ୭୭ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ବାମ ଏବଂ କଂଗ୍ରେସ ମେଣ୍ଟ ଶୂନ୍ୟକୁ ହ୍ରାସ ପାଇଥିଲା। ଏଥର ଏକଜିଟ୍ ପୋଲମାନଙ୍କରେ ବିଜେପିର ଆସନରେ (୭୭ ରୁ ୧୪୬-୧୬୧) ଉଲ୍ଲେଖନୀୟ ବୃଦ୍ଧି ଏବଂ ଟିଏମସିର (୨୧୫ ରୁ ୧୨୫-୧୪୦) ଉଲ୍ଲେଖନୀୟ ହ୍ରାସ ପାଇବାର ପୂର୍ବାନୁମାନ କରାଯାଇଛି।
ମେ ୪ରେ ଭୋଟ ଗଣତି ପରେ ହିଁ ପ୍ରକୃତ ଫଳାଫଳ ଜଣାପଡିବ। ତଥାପି, ଏହି ସର୍ଭେ ଜାତୀୟ ରାଜନୈତିକ ଚର୍ଚ୍ଚାକୁ ବଢ଼ାଇ ଦେଇଛି। ମମତା ବାନାର୍ଜୀଙ୍କ ୧୫ ବର୍ଷର ଶାସନ ଶେଷ ହେଉଛି ନା ଟିଏମସି ପୁନରାଗମନ କରିବ ତାହା ବର୍ତ୍ତମାନର ସବୁଠାରୁ ବଡ଼ ରାଜନୈତିକ ପ୍ରଶ୍ନ।