କଳାହାଣ୍ଡି: କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି l ରିକ୍ଟର ସ୍କେଲରେ ଏହାର ତୀବ୍ରତା କେତେ ଅଛି ତାହା ଜଣା ପଡ଼ି ନ ଥିଲେ ହେଁ ଲୋକେ ଭୟରେ ଘରୁ ବାହାରି ଆସିଥିଲେ।
କଳାହାଣ୍ଡି ଜିଲ୍ଲାରେ ବଡ଼ ଝଟକା ଅନୁଭୂତ ହେବା ଫଳରେ ଲୋକେ ଘରୁ ଭୟଭୀତ ହୋଇ ବାହାରକୁ ବାହାରି ଆସିଥିଲେ। ବୁଧବାର ସନ୍ଧ୍ୟା ୭. ୪୦ ରୁ ୭. ୪୫ ମଧ୍ୟରେ ଦୁଇରୁ ତିନି ସେକେଣ୍ଡ ପାଇଁ ବଡ଼ ଝଟକା ଅନୁଭୂତ ହୋଇଥିଲା। ଘରେ ଥିବା ଆସବାବପତ୍ର କିଛି ସମୟ ପାଇଁ ଥରି ଯାଇଥିଲା l ଯାହା ଫଳରେ ଘର ଭିତରେ ଥିବା ଲୋକେ ଭୟଭୀତ ହୋଇ ଘର ବାହାର କୁ ବାହାରି ଆସିଥିଲେ l ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଞ୍ଚଳରୁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳି ନ ଥିବା ବେଳେ ପ୍ରଶାସନ ପକ୍ଷରୁ ନଜର ରଖା ଯାଇଥିବା ସୂଚନା ମିଳିଛି l
ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ୫୦ ମିନିଟ ସମୟରେ ହଠାତ୍ ଥରିଥିବାର ଅନୁଭୂତି ହୋଇଛି । ପ୍ରାୟ ୨ ରୁ ୩ ସେକେଣ୍ଡ ପର୍ଯ୍ୟନ୍ତ ଏହି କମ୍ପନ ଅନୁଭବ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଲୋକେ ଆତଙ୍କିତ ହୋଇ ଯାଇଥିଲେ। ଝରିଗାଁ ବ୍ଲକ ସଦରର ଅନେକ ଲୋକ ଏହି ମୃଦୁ ଭୂମିକମ୍ପକୁ ଅନୁଭବ କରିଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଯେତେବେଳେ କମ୍ପନ ହୋଇଥିଲା, ଦୋକାନ ବଜାରରେ ଥିବା ଜିନିଷପତ୍ର ସବୁ ହଲିବାକୁ ଲାଗିଥିଲା। କମ୍ପନ ଅନୁଭବ କରିବା ମାତ୍ରେ ଲୋକେ ଭୟଭୀତ ହୋଇ ନିଜ ନିଜ ଘରୁ ବାହାରକୁ ବାହାରି ଆସିଥିଲେ। ତେବେ ଏହି ଭୂମିକମ୍ପର ତୀବ୍ରତା କେତେ ଥିଲା, ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ରିକ୍ଟର ସ୍କେଲରେ ଏହାର ତୀବ୍ରତା କେତେ ରହିଛି, ତାହାକୁ ନେଇ ତଥ୍ୟ ହସ୍ତଗତ ହୋଇନାହିଁ।