ଭୁବନେଶ୍ୱର: ବିଧାନସଭା ଦିନିକିଆ ସ୍ୱତନ୍ତ୍ର ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ମହିଳାଙ୍କୁ ଉଚିତ ନ୍ୟାୟ ଦେବାରେ ଅବହେଳା କରାଯାଇଛି। ଏବେ ବିରୋଧୀ ଆଲୋଚନାକୁ ଆଗେଇ ଆସିବା ବଦଳରେ ନକାରାତ୍ମକ ମନ୍ତବ୍ୟ ଦେଉଛନ୍ତି ।
ମୁଖ୍ୟମନ୍ତ୍ରୀ ମହିଳା ସଂରକ୍ଷଣ ବିଲ ଉପରେ ଆଲୋଚନା ପାଇଁ ପ୍ରସ୍ତାବ ଆଗତ କରି କହିଛନ୍ତି ଯେ ଆଜିର ଏହି ଅଧିବେଶନ କେବଳ ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂକ୍ରାନ୍ତରେ ନୁହେଁ। ଆଜିର ଅଧିବେଶନ ମହିଳା ସଶକ୍ତିକରଣ, ବିଶେଷଭାବେ ରାଜନୈତିକ ସଶକ୍ତିକରଣ ବିଷୟରେ ଆଲୋଚନା ପାଇଁ ଆହୁତ କରାଯାଇଛି । ଗତ କିଛି ଦଶନ୍ଧି ଧରି ସବୁ ରାଜନୈତିକ ଦଳ ମହିଳା ସଶକ୍ତିକରଣ ବିଷୟରେ ଆଲୋଚନା କରୁଛନ୍ତି। କିନ୍ତୁ, ତାଙ୍କ ପାଇଁ ମହିଳା ସଶକ୍ତିକରଣର ସଂଜ୍ଞା ଅତି ସଙ୍କୁଚିତ। କାରଣ, ତାଙ୍କ ପାଇଁ ମହିଳା ସଶକ୍ତିକରଣର ଅର୍ଥ ହେଉଛି କେବଳ ଅର୍ଥନୈତିକ ସ୍ତରରେ ଆତ୍ମନିର୍ଭରଶୀଳତା। ତେଣୁ, SHG ଗଠନ କରି କିଛି ଟଙ୍କା ଦେଇଦେଲେ ସେମାନେ ଭାବନ୍ତି ଯେ ମହିଳାମାନେ ସଶକ୍ତ ହୋଇଗଲେ। ଏହା ଏକ ଭ୍ରାନ୍ତ ଧାରଣା। ସଶକ୍ତିକରଣର ପ୍ରକୃତ ସଂଜ୍ଞା ହେଉଛି ନିଜେ ନିଜ ପାଇଁ, ପରିବାର ପାଇଁ ଏବଂ ସମାଜ ପାଇଁ ନିଷ୍ପତ୍ତି ନେବାର ଅଧିକାର। ତେଣୁ, ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ କ୍ଷେତ୍ରରେ ସଶକ୍ତିକରଣ ହେବା ହିଁ ହେଉଛି ପ୍ରକୃତ ଅର୍ଥରେ ମହିଳା ସଶକ୍ତିକରଣ।
ମୁଖ୍ୟମନ୍ତ୍ରୀ ଉଭୟ କଂଗ୍ରେସ ଓ ବିଜେଡ଼ିକୁ ଟାର୍ଗେଟ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କଂଗ୍ରେସ ଦଳର ୧୯୮୪ ମସିହାରେ ସଂସଦରେ ତିନି-ଚତୁର୍ଥାଂଶ ଆସନ ଥିଲା । କିନ୍ତୁ, କାହିଁକି ସେମାନେ ଏହି ମହତ୍ବପୂର୍ଣ୍ଣ ବିଲକୁ ପାଶ କରି ନ ଥିଲେ। ଆଜି ଯେଉଁମାନେ ଆମ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି, ସେମାନେ ନିଜର ଇତିହାସ ଜାଣିବା ଆବଶ୍ୟକ।
ସେହିପରି ବିଜୁ ଜନତା ଦଳ ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦ ପ୍ରତିଶତ ମହିଳା ସଂରକ୍ଷଣକୁ ନେଇ ବାଃ ବାଃ ଲୁଟିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ, ଯେତେବେଳେ ବିଧାନସଭା ଓ ଲୋକସଭା ପାଇଁ ଆରକ୍ଷଣ କଥା ଉଠୁଛି ସେମାନେ କାହିଁକି ମହିଳା ବିରୋଧୀ ଆଭିମୁଖ୍ୟ ନେଉଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ମହିଳାଙ୍କୁ ସଂରକ୍ଷଣ ମିଳିଲେ ବଡ଼ପଣ୍ଡାଙ୍କର ସଂରକ୍ଷଣ ଅଧିକାର କ୍ଷୁର୍ଣ୍ଣ ହୁଏନି । ଯେ ପର୍ଯ୍ୟନ୍ତ ମହିଳାଙ୍କୁ ବିଧାନସଭା କିମ୍ବା ସଂସଦକୁ ପଠାଯାଇନି, ସେପର୍ଯ୍ୟନ୍ତ ସେମାନଙ୍କୁ ଉଚିତ ସମ୍ମାନ ମିଳିବନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମୋଦୀ ସରକାର ରାଷ୍ଟ୍ରପତି, କେନ୍ଦ୍ର ଅର୍ଥମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଜଣେ ଜଣେ ମହିଳା । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୯ ଥର ବଜେଟ ଉପସ୍ଥାପନା କରିଛନ୍ତି। ତେଣୁ ନାରୀ ଶକ୍ତି ବନ୍ଦନର ଆବଶ୍ୟକତା ଅଛି । କିନ୍ତୁ ବିରୋଧୀ ଏଥିରେ ବ୍ରେକ ଲଗାଇଛନ୍ତି । ଏହାର ଉଚିତ ଜବାବ ମହିଳା ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠି ଉପରେ ଆଲୋକପାତ କରିଛନ୍ତି । ନବୀନଙ୍କ ଆଶଙ୍କା ନିରର୍ଥକ । ସିଟ ବୃଦ୍ଧି ହେଲେ ଓ ମହିଳା ସଂରକ୍ଷଣ ବିଲ ପାରିତ ହେଲେ ଓଡ଼ିଶା ବି ଅନ୍ୟ ରାଜ୍ୟ ଭଳି ସମାନ ଅଧିକାର ପାଇଥାନ୍ତା। କଥାରେ ଅଲଗା କାମରେ ଅଲଗା। ବିରୋଧୀ ମତାମତ ଦିଅନ୍ତୁ।। ଗୃହରେ ନାରୀ ଶକ୍ତି ନେଇ ଆଲୋଚନା ହେଉ ।