ପାଞ୍ଚ ରାଜ୍ୟରେ ହୋଇଥିବା ନିର୍ବାଚନରେ ପଶ୍ଚିମବଙ୍ଗ ଫଳାଫଳ ଉପରେ ସାରା ଦେଶର ନଜର ରହିଛି । ମତଦାନ ପରେ ପ୍ରକାଶ ପାଇଥିବା ବୁଥ୍ ବାହୁଡ଼ା ରିପୋର୍ଟ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ପୂର୍ବ ଭଳି ବିଜେପି ଉପରେ ଅଭିଯୋଗ ଆଣିଛନ୍ତି । ଏହା ସହିତ ଦଳ ୨୨୬ ଆସନରେ ଜିତିବ ବୋଲି ଦୃଢ଼ କଣ୍ଠରେ କହିଛନ୍ତି । ମା, ମାଟି ଏବଂ ମଣିଷଙ୍କ ସିଦ୍ଧାନ୍ତରେ ସେ ସରକାର ଗଢ଼ିବେ ବୋଲି କହିଛନ୍ତି ।
ମମତା ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ଭିଡ଼ିଓ ଜାରି କରି ତୃଣମୂଳ କଂଗ୍ରେସର ସମସ୍ତ କର୍ମକର୍ତ୍ତା ଏବଂ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଯେଉଁମାନେ ନିଜ ଜୀବନକୁ ବାଜିରେ ଲଗାଇ ସଂଘର୍ଷ କରି ସମସ୍ତ ଅନୁକୂଳ ପରିସ୍ଥିତିରେ ସାମ୍ନା କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଦାବି କରିଛନ୍ତି ଯେ ଟିଏମସି ୨୨୬ରୁ ଅଧିକ ଆସନରେ ଜିତି ପୁଣି ଥରେ ଶାସନକୁ ଆସିବ ।
ମମତା ନିର୍ବାଚନ ଆୟୋଗ, କେନ୍ଦ୍ର ସରକାର ଏବଂ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ଉପରେ ବର୍ଷିଛନ୍ତି । ଏ ସମସ୍ତେ ମିଶି ପଶ୍ଚିମବଙ୍ଗର ଜନତାଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଛନ୍ତି । ସମ୍ପୂର୍ଣ୍ଣ କଳର ବ୍ୟବହାର କରାଯାଇଛି । କିନ୍ତୁ ଜନତା ଭୋଟ୍ ମାଧ୍ୟମରେ ଏହାର ଜବାବ ଦେଇଛନ୍ତି ।
ଖାଲି ସେତିକି ନୁହେଁ ମମତା କହିଛନ୍ତି ଯେ କିଛି ଗଣମାଧ୍ୟମ ଦ୍ୱାରା ଭ୍ରମାତ୍ମକ ଖବର ପ୍ରସାରିତ କରିବାକୁ ଚେଷ୍ଟା କରାଯାଇଛି । ସେ ବୁଥ୍ ବାହୁଡ଼ା ମତକୁ ଗ୍ରହଣ କରିନାହାଁନ୍ତି । ଏହା ସତ ହେବ ନାହିଁ ବୋଲି ସେ କହିଛନ୍ତି । ଏକ୍ଜିଟ୍ ପୋଲ୍ ମାଧ୍ୟମରେ ଲୋକଙ୍କ ମନୋବଳ ଭାଙ୍ଗିବାକୁ ଚେଷ୍ଟା କରାଯାଇଛି । ୨୦୧୬ ଏୂଂ ୨୦୨୧ରେ ମଧ୍ୟ ଏଭଳି ଏକ୍ସିଟ୍ ପୋଲ୍ ରିପୋର୍ଟ ଦେଖିବାକୁ ମିଳିଥିବା କହିଛନ୍ତି ମମତା ।
ନିର୍ବାଚନ ଫଳାଫଳ ପ୍ରକାଶିତ ହେବା ପର୍ୟ୍ୟନ୍ତ ସତର୍କତା ବଜାୟ ରଖିବାକୁ ମମତା ତାଙ୍କ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି । ଇଭିଏମ୍ ମେସିନ ସହିତ ହେରଫେର ହୋଇପାରେ । ତେଣୁ ଦିନ ରାତି ସଜାଗ ରହିବା ସହିତ ମତ ଗଣନା କେନ୍ଦ୍ରରେ ଉପସ୍ଥିତ ରହି ଇଭିଏମ୍ ମେସିନ ଉପରେ ବିଶେଷ ନଜର ରଖିବାକୁ କହିଛନ୍ତି । କୌଣସି ପ୍ରକାର ଅବହେଳା ବରଦାସ୍ତ କରାଯିବ ନାହିଁ । ଆବଶ୍ୟକ ପଡ଼ିଲେ ସେ ନିଜେ ମଇଦାନକୁ ଓହ୍ଲାଇବେ ବୋଲି କହିଛନ୍ତି ମମତା । ଶେଷରେ ମା, ମାଟି ଏବଂ ମଣିଷଙ୍କ ସିଦ୍ଧାନ୍ତରେ ସେ ସରକାର ଗଢ଼ିବେ ବୋଲି କହିଛନ୍ତି ।