ରାଜସ୍ଥାନ ରୟାଲ୍ସର ଅଧିନାୟକ ରିୟାନ ପରାଗ ପୁଣି ଥରେ ଚର୍ଚ୍ଚାରେ, ଏବେ ତାଙ୍କ ୟୁଟ୍ୟୁବ ସର୍ଚ୍ଚ ହିଷ୍ଟ୍ରୀ ପାଇଁ ନୁହେଁ ବରଂ ଏବେ ଭେପିଂ କରୁଥିବା ସମୟର ଭିଡିଓକୁ ନେଇ ଚର୍ଚ୍ଚାରେ । ଚଳିତ ଆଇପିଏଲ ସିଜିନରେ ମ୍ୟାଚ ଚାଲିଥିବାବେଳେ ଭେପିଂ କରୁଥିବାର ଭିଡିଓ ଭାଇରାଲ ହୋଇଛି । ଯାହାକୁ ନେଇ ତାଙ୍କ ମ୍ୟାଚ ଫିସର ୨୫ ପ୍ରତିଶତ ଜରିମାନା ଲାଗିବା ସହ ଗୋଟିଏ ଡିମେରିଟ ପଏଣ୍ଟ ମଧ୍ୟ ମିଳିଛି ।
ରିୟାନ ପରାଗ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି । ଚଳିତ ଆଇପିଏଲ ସିଜିନରେ ତାଙ୍କ ବ୍ୟକ୍ତିଗତ ପ୍ରଦର୍ଶନକୁ ନେଇ ତାଙ୍କୁ ଦଳର ଅଧିନାୟକ ପଦବୀରୁ ହଟାଯାଇ ଅନ୍ୟ ଖେଳାଳିଙ୍କୁ ଏହି ଦାୟିତ୍ୱ ଦେବାକୁ ନେଇ ଚର୍ଚ୍ଚା ହେଉଥିଲା । ଏବେ ମ୍ୟାଚ ସମୟରେ ଭେପିଂ କରୁଥିବାର ଦେଖିବାକୁ ମିଳିଛି । ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚର ଦ୍ଵିତୀୟ ଇନିଂସରେ ରିୟାନ ପରାଗ ଡ୍ରେସିଂ ରୁମରେ ବସି ଭେପିଂ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଅନେକ ବ୍ୟକ୍ତି ଏହି ଭିଡିଓକୁ ସୋସିଆଲ ମିଡିଆରେ ସେଆର କରିଥିଲେ ଓ ଏହା ଭାଇରାଲ ହେବା ପରେ ଏବେ ରିୟାନ ପରାଗଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି ।
ଆଇପିଏଲ ଚାଲିଥିବା ସମୟରେ ଏଭଳି କାର୍ଯ୍ୟକଳାପ ଆଇପିଏଲ ନିୟମଧରା ଉଲ୍ଲଙ୍ଘନ କରୁଥିବାରୁ ତାଙ୍କ ମ୍ୟାଚ ଫିସର ୨୫ ପ୍ରତିଶତ ଜରିମାନା ଭାବେ କଟାଯାଇଛି । ଏହା ସହିତ ନିୟମ ଧାରା ୨.୨୧ ଉଲ୍ଲଙ୍ଘନ ଆଧାରରେ ତାଙ୍କୁ ଗୋଟିଏ ଡିମେରିଟ ପଏଣ୍ଟ ମଧ୍ୟ ମିଳିଛି । ତେବେ ରିୟାନ ପରାଗ ନିଜ ଭୁଲ ସ୍ୱୀକାର କରିଛନ୍ତି ଓ ମ୍ୟାଚ ରେଫରିଙ୍କ ଦ୍ୱାରା ଲାଗୁ ହୋଇଥିବା ଦଣ୍ଡକୁ ଗ୍ରହଣ କରିଛନ୍ତି । ୨୦୧୯ ମସିହା ପରଠାରୁ ଭାରତରେ ଇ-ସିଗାରେଟର ଉତ୍ପାଦନ, ବିକ୍ରୟ ଓ ବଣ୍ଟନ ଉପରେ ପ୍ରତିବନ୍ଧକ ଲାଗୁ ହେବା ପରେ ମଧ୍ୟ ରିୟାନ ପରାଗଙ୍କ ଏଭଳି ଆଚରଣକୁ ନେଇ ବିବାଦ ଅଧିକ ତୀବ୍ର ହୋଇଛି ।