ଚଳିତ ସିଜିନରେ ଗୁଜୁରାଟ ଟାଇଟନ୍ସ ନିଜର ଫର୍ମ ଖୋଜୁଥିବାବେଳେ ଗୁରୁବାର ଇନ-ଫର୍ମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବାକୁ ଯାଉଛି। ଆଇପିଏଲ ୨୦୨୬ ରେ ଗୁଜୁରାଟ ୮ ଟି ମ୍ୟାଚରୁ ୪ ଟି ମ୍ୟାଚରେ ବିଜୟୀ ହୋଇଛି ଓ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ, ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚମତ୍କାର ଫର୍ମରେ ଅଛି, ଚଳିତ ସିଜିନରେ ୮ ଟି ମ୍ୟାଚ ଖେଳିଥିବାବେଳେ ୬ ଟି ମ୍ୟାଚରେ ବିଜୟ ହାସଲ କରିଛି ଓ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି।
ଆରସିବିର ଭୁବନେଶ୍ୱର କୁମାର ଓ ଯଶ ହାଜେଲଉଡଙ୍କ ଯୋଡ଼ି ପାୱାରପ୍ଲେରେ ମ୍ୟାଚ ପରିବର୍ତ୍ତନ କରିଦେଉଛନ୍ତି। ଭୁବନେଶ୍ୱର କୁମାରଙ୍କ ଚମତ୍କାର ସ୍ୱିଙ୍ଗ୍ ବୋଲିଂ ଓ ହାଜେଲଉଡଙ୍କ ଟେଷ୍ଟ-ମ୍ୟାଚ ଲାଇନ-ଲେନ୍ଥ ବ୍ୟାଟ୍ସମ୍ୟାନମାନଙ୍କୁ ଅସୁବିଧାରେ ପକାଉଛି। ଆରସିବିର ଏହି ଯୋଡି ପାୱାରପ୍ଲେରେ ବ୍ୟାଟରଙ୍କ ଆଉଟ ସାଇଡ ଏଜ୍ କୁ ଟାର୍ଗେଟ କରୁଛନ୍ତି । ମଧ୍ୟ ଓଭରରେ କୄନାଲ ପାଣ୍ଡ୍ୟା ଓ ଶୂୟସ ଶର୍ମା ନିଜ ସ୍ପିନ ବଳରେ ବ୍ୟାଟରଙ୍କୁ ଫସାଉଛନ୍ତି । ଏହା ବ୍ୟତୀତ ବିସ୍ଫୋରକ ବ୍ୟାଟିଂ ଲାଇନ-ଅପ ଆରସିବିକୁ ବଡ ସ୍କୋର କରିବା ସହ ବଡ ଟାର୍ଗେଟ ଚେଜ କରିବାରେ ସାହାଯ୍ୟ କରୁଛି ।
ଗୁଜୁରାଟ ଟାଇଟନ୍ସ ନିଜ ଟପ-ଅର୍ଡର ବ୍ୟାଟରଙ୍କ ଉପରେ ଅଧିକ ନିର୍ଭର କରୁଛି । ସାଇ ସୁଦର୍ଶନ, ଶୁଭମନ ଗିଲ ଓ ଜସ ବଟଲରଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ସେଭଳି ଭଲ ଫର୍ମରେ ନାହାନ୍ତି । ଶାହରୁଖ ଖାନ ଏବଂ ରାହୁଲ ତେୱତିଆ ଗୁଜୁରାଟ ପାଇଁ ଫିନିସର ରୂପେ ଖେଳୁଥିବାବେଳେ ସେଭଳି ପ୍ରଭାବଶାଳୀ ଇନିଂସ ଖେଳିନାହାନ୍ତି । ରସିଦ ଖାନଙ୍କ ସ୍ପିନ ଉପରେ ଦଳ ଭରସା ରଖିଥିବାବେଳେ ସେଭଳି ପ୍ରଦର୍ଶନ କରିବାରେ ସଫଳ ହେଉନାହାନ୍ତି ରସିଦ ।
ଗତ ୨୪ ଏପ୍ରିଲରେ ଏହି ଦୁଇ ଦଳ ଚିନ୍ନସ୍ୱାମୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଆରସିବି ୭ ଟି ବଲ ବାକି ଥାଇ ମ୍ୟାଚ ଜିତିଥିଲା । ଚଳିତ ସିଜିନରେ ଗୁଜୁରାଟ ନିଜ ଘରୋଇ ମୈଦାନରେ ୩ ଟି ମ୍ୟାଚରୁ କେବଳ ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି । ପୂର୍ବ ମ୍ୟାଚ ଗୁଡିକରେ ଆରସିବିର ପ୍ରଦର୍ଶନ ଦେଖି ଆରସିବି ଆଜିର ମ୍ୟାଚ ଜିତିବା ନେଇ ମଧ୍ୟ ଅନେକ କ୍ରିକେଟ ଏକ୍ସପର୍ଟ ମତ ଦେଇଛନ୍ତି।