ଚଳିତ ଆଇପିଏଲ ସିଜିନରେ ମୁମ୍ବାଇ ଇଂଡିଆନ୍ସକୁ ଆଉ ଏକ ପରାଜୟର ସାମ୍ନା କରିବାକୁ ପଡିଛି । ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ୨୪୩ ରନ ସଂଗ୍ରହ କରିବା ସତ୍ୱେ ମୁମ୍ବାଇ ୬ ୱିକେଟ୍ ରେ ପରାସ୍ତ ହୋଇଛି । ରାୟନ ରିକଲଟନଙ୍କ ଦମଦାର ଶତକ ସତ୍ୱେ ମୁମ୍ବାଇ ନିଜ ଘରୋଇ ମୈଦାନରେ ପରାସ୍ତ ହୋଇଛି । ଏହି ପରାଜୟ ସହ ମୁମ୍ବାଇର ପ୍ଲେଅଫରେ ପହଞ୍ଚିବା ସ୍ୱପ୍ନ ଅସମ୍ଭବ ଭଳି ନଜର ଆସୁଛି।
ପାଞ୍ଚ ଥର ଆଇପିଏଲ ବିଜେତା ମୁମ୍ବାଇ ଚଳିତ ସିଜିନରେ ୮ ଟି ମ୍ୟାଚରୁ ୬ ଟି ମ୍ୟାଚରେ ପରାଜୟର ସାମ୍ନା କରିଛି । ମାତ୍ର ୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି ମୁମ୍ବାଇ। ବର୍ତ୍ତମାନ ଆଉ ୬ ଟି ମ୍ୟାଚ ବାକିଥିବାବେଳେ ପ୍ରତି ମ୍ୟାଚ ନକ-ଆଉଟ ଭଳି ସ୍ତିତିରେ ପହଞ୍ଚିଛି । ପ୍ରତି ମ୍ୟାଚ ଜିତିଲେ ମଧ୍ୟ ପ୍ଲେଅଫ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ହେଲେ ମୁମ୍ବାଇକୁ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନଜର ରଖିବାକୁ ହେବ ।
ବୁଧବାର ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ମୁମ୍ବାଇ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଥିଲା । ମୁମ୍ବାଇ ଭଳି ଗ୍ରାଉଣ୍ଡରେ ଚେଜ କରିବା ପରିବର୍ତ୍ତେ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ପ୍ରଥମ ଇନିଂସ ଶେଷ ପର୍ଯ୍ୟନ୍ତ ଠିକ ବୋଲି ନଜର ଆସୁଥିଲା । ମୁମ୍ବାଇର ଦୁଇ ଓପନର ୱିଲ ଜ୍ୟାକ୍ସ ଓ ରାୟନ ରିକଲଟନ ମୁମ୍ବାଇକୁ ଏକ ବିସ୍ଫୋରକ ଆରମ୍ଭ ପ୍ରଦାନ କରିଥିଲେ । ୱିଲ ଜ୍ୟାକ୍ସ ୨୨ ବଲରେ ୪୬ ରନ କରି ଆଉଟ ହୋଇଥିବାବେଳେ ରାୟନ ରିକଲଟନ ଅପରାଜିତ ରହି ୫୫ ବଲରେ ୧୨୩ ରନ ସଂଗ୍ରହ କରିଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୧୫ ବଲରେ ୩୧ ରନ ବଳରେ ମୁମ୍ବାଇ ୨୦ ଓଭରରେ ୫ ୱିକେଟ୍ ହରାଇ ୨୪୩ ରନ ସଂଗ୍ରହ କରିଥିଲା ।
ଦ୍ଵିତୀୟ ଇନିଂସରେ ହାଇଦ୍ରାବାଦ ନିଜର ଆଭିମୁଖ୍ୟ ସ୍ପଷ୍ଟ ରଖିବା ଆଟାକିଙ୍ଗ ବ୍ୟାଟିଂ ଜାରି ରଖିଥିଲା । ପ୍ରଥମ ପାୱାରପ୍ଲେରେ ହାଇଦ୍ରାବାଦ ୯୨ ରନ ସଂଗ୍ରହ କରିଥିଲେ । ଅଭିଶେକ ଶର୍ମା ୨୪ ବଲରେ ୪୫ ଓ ଟ୍ରାଭିସ ହେଡ଼ ୩୦ ବଲରେ ୭୬ ରନ ସଂଗ୍ରହ କରିଥିଲେ । ହେନରୀକ କ୍ଲାସେନ ୩୦ ବଲରେ ୬୫, ନୀତିଶ ରେଡି ୧୭ ବଲରେ ୨୧ ଓ ସଲିଲ ଅରୋରା ୧୦ ବଲରେ ୩୦ ରନ ସଂଗ୍ରହ କରିଥିଲେ । ହାଇଦ୍ରାବାଦ ୧୮.୪ ଓଭରରେ ୪ ୱିକେଟ୍ ହରାଇ ୨୪୯ ରନ ସଂଗ୍ରହ କରିଥିଲା ଓ ମ୍ୟାଚ ଜିତିଥିଲା।
ରାୟନ ରିକଲଟନ ଏକ ବିସ୍ଫୋରକ ଶତକ କରିଥିଲେ ମଧ୍ୟ ମୁମ୍ବାଇର ବୋଲିଂ ୟୁନିଟ ବିଫଳ ହେବାରୁ ମୁମ୍ବାଇକୁ ପରାଜୟର ସାମ୍ନା କରିବାକୁ ପଡିଲା । ମୁମ୍ବାଇର ସବୁ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ ମଧ୍ୟ ଇମ୍ପ୍ୟାକ୍ଟ ପ୍ଲେଆର ଭାବେ ଆସିଥିବା ସାରଦୁଲ ଠାକୁରଙ୍କୁ ଗୋଟିଏ ଓଭର ମଧ୍ୟ ବୋଲିଂ କରିବାକୁ ସୁଯୋଗ ମିଳିନଥିଲା ।