ସୁନ୍ଦରଗଡ ଜିଲ୍ଲାରେ ପୁଣି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ହେମଗିର ଗୋପାଳପୁର ସମ୍ମୁଖରେ ଭୋର ପ୍ରାୟ ୪ଟା ବେଳେ କୋଇଲା ବୋଝେଇ ଟ୍ରଲର ସହ ଏକ ଲୁହା ପଥର ବୋଝେଇ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ପରେ କୋଇଲା ଟ୍ରଲରରେ ଭୟାବହ ନିଆଁ ଲାଗି ଯାଇଥିଲା, ଯାହା କେବଳ କିଛି ମିନିଟ୍ରେ ଆଗ୍ନେୟର ରୂପ ନେଇଥିଲା।
ସବୁଠାରୁ ଦୁଃଖଦ ଘଟଣା ହେଉଛି ଟ୍ରଲର ଚାଳକ ଗାଡ଼ି ଭିତରେ ହିଁ ଫସି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ ମୃତଦେହର ଅଧିକାଂଶ ଅଂଶ ପାଉଁଶ ହୋଇଯାଇଥିବାବେଳେ କେବଳ କିଛି ଅସ୍ଥି ଅବଶିଷ୍ଟ ମିଳିଛି।
ଖବର ପାଇ ହେମଗିର ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ନିଆଁ ନିୟନ୍ତ୍ରଣ କରିଥିଲେ ଏବଂ ଉଦ୍ଧାର କାର୍ଯ୍ୟ କରିଥିଲେ। ଦୁର୍ଘଟଣାର ସଠିକ୍ କାରଣ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଏଥି ସହିତ ମାତ୍ର ଦୁଇ ଦିନ ପୂର୍ବରୁ ଏହି ଜିଲ୍ଲାରେ ବସ୍-ଟ୍ରକ ଧକ୍କାରେ ୪ ଜଣଙ୍କ ମୃତ୍ୟୁ ଓ ୨୦ରୁ ଅଧିକ ଆହତ ଘଟଣା ଘଟିଥିଲା। ପୁଣିଥରେ ଆଜି ଏଭଳି ଦୁର୍ଘଟଣା ସଡ଼କ ସୁରକ୍ଷା ଓ ଭାରି ଯାନ ନିୟନ୍ତ୍ରଣ ଉପରେ ଗୁରୁତର ପ୍ରଶ୍ନ ଉଠାଇଛି।
ଅଧିକ ପଢନ୍ତୁ: ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା ବସ୍: ୪ ମୃତ, ୨୦ରୁ ଉର୍ଦ୍ଧ୍ୱ ଆହତ