କଟକ ଓଏମ୍ପି ସ୍ଥିତ ଷଷ୍ଠ ବାଟାଲିୟନ୍ କ୍ୟାମ୍ପସ୍ ଭିତରେ ପୁଲିସକୁ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଘଟଣାରେ ୫ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ସେମାନେ ହେଲେ ସିପାହୀ ପ୍ରଶାନ୍ତ ମୁଦୁଲି ଓ ମାନସ ରଣସିଂହ ଏବଂ ଚାଉଳିଆଗଞ୍ଜ ଥାନା ହୋମଗାର୍ଡ ବିପିନ ଦାସ। ଏମାନଙ୍କ ମଧ୍ୟରୁ ବିପିନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ବୁଧବାର ରାତିରେ ବାଟାଲିଅନ୍ କ୍ୟାମ୍ପସ୍ ଭିତରେ ଥିବା ପୋଖରୀ କୂଳର ଏକ ଅନ୍ଧାରୁଆ ସ୍ଥାନରେ ଆପତ୍ତିଜନକ ଅବସ୍ଥାରେ ଯୁବକ ଓ ଯୁବତୀ ଥିଲେ। ବାଟାଲିଅନ୍ର ଜଣେ ହାବିଲ୍ଦାର ସେମାନଙ୍କ ପରିଚୟ ପଚାରିଥିଲେ। ସେମାନେ ବାଟାଲିଅନ୍ ବାହାର ଲୋକ ବୋଲି କହିଥିଲେ। ସୁରକ୍ଷା ଦୃଷ୍ଟିରୁ ଉଭୟ ଯୁବକ ଓ ଯୁବତୀଙ୍କୁ କଣ୍ଟ୍ରୋଲ୍ ରୁମ୍କୁ ନିଆଯାଇଥିଲା। ବିନା ଅନୁମତିରେ ଆଉ କେବେ କ୍ୟାମ୍ପସ୍ ଭିତରକୁ ଆସିବେ ନାହିଁ ବୋଲି ଏକ ଲିଖିତ ପ୍ରତିଶ୍ରୁତି ଉଭୟ ଯୁବକ ଯୁବତୀ ଦେଇଥିଲେ। ପୁଲିସ ସେମାନଙ୍କ ଅଭିଭାବକଙ୍କୁ ଡକାଇବା ପାଇଁ ଫୋନ୍ ନମ୍ବର ମାଗିଥିଲା। ଯାହାକୁ ନେଇ ରାଗି ଯାଇଥିଲେ ଯୁବକ ଜଣକ। ପରେ ନିଜର ସାଥୀ ମାନଙ୍କୁ ଡକାଇ କ୍ୟାମ୍ପସ୍ ଭିତରେ ପଶି ପୋଲିସକୁ ମରଣାନ୍ତକ ଆକ୍ରମଣ କରିଥିଲେ।
ବାଟାଲିୟନ୍ରେ ଶହ ଶହ ସଂଖ୍ୟାରେ ସଶସ୍ତ୍ର ପୁଲିସ ବାହିନୀ ଥିଲେ ମଧ୍ୟ ଆକ୍ରମଣ ସମୟରେ ପହଞ୍ଚି ପାରିନଥିଲେ। ଆଉ ଯେଉଁମାନେ ଥିଲେ ସେମାନେ ଆକ୍ରମଣକାରୀଙ୍କୁ ସାମ୍ନା କରିପାରିନଥିଲେ। ଫଳରେ ଅଭିଯୁକ୍ତମାନଙ୍କ ଆକ୍ରମଣର ୩ଜଣ ପୁଲିସ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୨ଜଣ ପୁଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।
ଖବର ପାଇ ପିସିଆର୍ ଭ୍ୟାନ୍ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆହତମାନଙ୍କୁ ଉଦ୍ଧାର କରି ଏସ୍ସିବି ମେଡିକାଲ୍କୁ ନେଇଥିଲା। ଏହି ଘଟଣାର ଯୁବକ, ଯୁବତୀଙ୍କ ସମେତ ୫ଜଣ ଆକ୍ରମଣକାରୀଙ୍କୁ ଚାଉଳିଆଗଞ୍ଜ ଥାନାରେ ଅଟକ ରଖାଯାଇଛି। ଚାଉଳିଆଗଞ୍ଜ ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ପୋଲିସକୁ ଆକ୍ରମଣ କରିଥିବା ଚାବି ରିଙ୍ଗ ଓ ଅନ୍ୟ କିଛି ସାମଗ୍ରୀ ଜବତ ହୋଇଛି।